ବୌଦ୍ଧ : ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ଅଞ୍ଚଳରେ ତିନି ଦିନରେ ଦୁଇଟି ହନ୍ତାହାତୀଙ୍କ ଶବ ଠାବ ହେବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ପୂର୍ବରୁ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ୨ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ବନ ବିଭାଗ ନିଲମ୍ବିତ କରିଛି। ଏବେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବୌଦ୍ଧ ରେଞ୍ଜର ପ୍ରଦୀପ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଛି।
ତେବେ ନିଲମ୍ବନ ଘଟଣାକୁ ୭ ଦିନ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ବନ ବିଭାଗ ଏହାକୁ ନିଜ ମଧ୍ୟରେ ଗୁପ୍ତ ରଖିଛି। କୌଣସି ଅଧିକାରୀ ଏ ବିଷୟରେ ମୁହଁ ଖୋଲୁ ନାହାନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପତ୍ର ସଂଖ୍ୟା ୧୦୪୯୭/୧୦.୦୯.୨୦୨୨ ଅନୁସାରେ ବନ୍ୟପ୍ରାଣୀ ସିସିଏଫଙ୍କୁ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଚଳିତ ମାସ ୨ ତାରିଖରେ ପିସିସିଏ୍ଫ ଓ ସିଡବ୍ଲୁଏଲଡବ୍ଲୁଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ରିପୋର୍ଟକୁ ଆଧାର କରି ରେଞ୍ଜର ଶ୍ରୀ ବେହେରାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ଶ୍ରୀ ବେହେରା ବ୍ରହ୍ମପୁର ଆର୍ସିସିଏଫ୍ଙ୍କ ଅଫିସରେ କାର୍ଯ୍ୟ କରିବେ। ଅନ୍ୟ ପକ୍ଷରେ ପୁରୁଣାକଟକ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ ବୌଦ୍ଧ ରେଞ୍ଜର ଅତିରିକ୍ତ ଦାୟିତ୍ବ ତୁଲାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/elephants.jpg)