ବୌଦ୍ଧ ଦୁର୍ଘଟଣା : ଯନ୍ତ୍ରୀ ମାନିଲେ, ଗିରଫ ହୋଇ ଜେଲ୍‌ ଗଲେ

ବୌଦ୍ଧ/ଚାରିଛକ : ଶନିବାର ସକାଳେ ବଲାଙ୍ଗୀର ଖୋର୍ଧା ଜାତୀୟ ରାଜପଥର ବୌଦ୍ଧ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ଉପରୁ ପର୍ଦା ହଟିଛି। କାର୍‌ରେ ଥିବା ଚାରି ସରକାରୀ ଅଧିକାରୀଙ୍କ ମଧ୍ୟରୁ ଯନ୍ତ୍ରୀ ଜଗବନ୍ଧୁ ନାଏକ ଦୁର୍ଘଟଣା ବେଳେ ନିଜେ କାର୍‌ ଚଳାଉଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ତାଙ୍କ ସହ ଥିବା ଅନ୍ୟ ତିନି ଜଣଙ୍କୁ ଛାଡ଼ି ଦିଆଯାଇଥିବା ପୁଲିସ କହିଛି। ସେପଟେ ମହମ୍ମଦ ଅଜିମ ଖାଁ ଓ ଜ୍ୟୋତିର୍ମୟୀ ପ୍ରଧାନଙ୍କ ଭଳି ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହରାଇଥିବା ହରଭଙ୍ଗା ବ୍ଲକ୍‌ ରାମ୍ଭୀକଟା ଗାଁରେ ଆଜି ବି ଶୋକର ଛାୟା ଦେଖିବାକୁ ମିଳିଛି।

ଗତକାଲି ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟର ଏହି ଦୁଇଜଣ ଶିକ୍ଷକ ଶିକ୍ଷୟତ୍ରୀ ଏକ ବାଇକ୍‌ରେ ସ୍କୁଲକୁ ଆସୁଥିବା ବେଳେ ନବରଙ୍ଗପୁରରୁ ମୟୁରଭଞ୍ଜ ଯାଉଥିବା ଏକ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। କାର୍‌ରେ ପାପଡ଼ାହାଣ୍ଡି ବ୍ଲକ୍‌ ଜେଇ ଜଗବନ୍ଧୁ ନାଏକଙ୍କ ସମେତ କୋଷାଗୁମୁଡ଼ାରେ କାର୍ଯ୍ୟରତ ଯନ୍ତ୍ରୀ ଦୁର୍ଗାଚରଣ ହାଁସଦା, ମଧୁସୁଦନ ଦାସ ଓ ପାପଡ଼ାହାଣ୍ଡିର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଆକାଶ ନାୟକ ଥିଲେ। ଦୁର୍ଘଟଣା ପରେ ଏମାନେ ଆହତଙ୍କୁ ଡାକ୍ତରଖାନା ପଠାଇବା ବଦଳରେ ସେଠାରୁ ଖସି ଯାଇଥିଲେ। ତେବେ ଲୋକମାନେ ସେମାନଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସରେ ଦେଇଥିଲେ। ତେବେ ଜଣେ ଡ୍ରାଇଭର କାର୍‌ ଚଳାଉଥିଲେ ଓ ଦୁର୍ଘଟଣା ପରେ ସେ ଖସିଗଲେ ବୋଲି ଏହି ଚାରିଜଣ ପ୍ରଥମେ ପୁଲିସକୁ କହିଥିଲେ। ପରେ ରାତିରେ ପୁଲିସ ପଚରାଉଚୁରା ବେଳେ ସେମାନେ ସତ ମାନିଥିଲେ। ଦୁର୍ଘଟଣା ବେଳେ ଯନ୍ତ୍ରୀ ଜଗବନ୍ଧୁ ହିଁ ଗାଡ଼ି ଚଳାଉଥିଲେ ବୋଲି ସ୍ୱୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ ମଧ୍ୟ ସର୍ତ୍ତ ମୁତାବକ ଜାମିନଦାର ଦେଇ ନ ପାରିବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ତିନିଜଣଙ୍କୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର