ରତ୍ନଗିରି: ବିଶ୍ବପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ତିନିଦିନିଆ ଚାଙ୍ଗଡ଼ାଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ମହାବିଷୁବ ସଂକ୍ରାନ୍ତି ତଥା ମହାକାଳଙ୍କ ଜନ୍ମଉତ୍ସବ ଅବସରରେ ସକାଳୁ ମହାକାଳଙ୍କ ମନ୍ଦିରରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଚଳିତ ବର୍ଷ ନୂତନ ମନ୍ଦିରକୁ ଠାକୁର ସ୍ଥାନାନ୍ତର ହୋଇ ପୂଜା ପାଉଛନ୍ତି। ଭକ୍ତମାନେ ଉପବାସ ରହିବାସହ ଠାକୁରଙ୍କ ପାଖରେ ଗୁଆ, ନଡ଼ିଆ ମାନସିକ ବସାଇଥିଲେ। ମଧ୍ୟରାତ୍ରରେ ମହାକାଳ ମନ୍ଦିରରୁ ପୂଜକଙ୍କ ଦ୍ବାରା ଚାଙ୍ଗଡ଼ା କେଲୁଅ ନଦୀରେ ବୁଡ଼ାହେବା ପରେ ଭକ୍ତମାନେ ଉପବାସ ଭାଙ୍ଗିବେ ବୋଲି ଜଣାପଡ଼ିଛି।

Advertisment

publive-image

ଚାଙ୍ଗଡ଼ାରେ ବ୍ୟବହୃତ ଲସିଲଗା ଆମ୍ବକୁ ନେଇ ସେବନ କଲେ ସନ୍ତାନ ପ୍ରାପ୍ତି ହେବାର ବିଶ୍ବାସ ରହିଛି। ଏହି ଆମ୍ବକୁ ନେବା ପାଇଁ ବ୍ରାହ୍ମଣ ଓ ସେବାୟତଙ୍କଠାରୁ ବେତ ପାହାର ବସିଥାଏ। ପ୍ରଥମଦିବସରେ ରତ୍ନଗିରି ପାହାଡ଼ ଉପରେ ଥିବା ଚାଙ୍ଗଡ଼ା କ୍ଷେତ୍ର ଉତ୍ସବମୁଖର ହୋଇଛି। ଗ୍ରୀଷ୍ମ ପ୍ରଭାବ ହେତୁ ଦିନସାରା ଗଳୁଗୁଳି ଓ ଟାଣଖରା ହୋଇଥିଲା। ଖରାକୁ ଖାତିର ନକରି ବହୁ ଦୂରଦୂରାନ୍ତରୁ ହଜାରହଜାର ଲୋକଙ୍କ ସମାଗମ ହୋଇଛି। ପାହଡ଼ ଉପରେ ବିଭିନ୍ନ ପ୍ରକାର ଦୋକାନବଜାର ଖୋଲିଛି। ଘରକରଣା ଜିନିଷ ଓ ଷ୍ଟେସନାରି ଦୋକାନରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ଯାତ୍ରୀଙ୍କ ଭିଡ଼କୁ ଆଖିଆଗରେ ରଖି ପାହାଡ଼ ଉପରକୁ ଯିବା ପାଇଁ ଅସ୍ଥାୟୀଭାବେ ଦୁଇଟି ଓ ପୂର୍ବ ଫାଟକକୁ ମିଶାଇ ମୋଟ୍ ୩ ଫାଟକ ଖୋଲାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବରୀ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ପୁଲିସ ବାହିନୀ ମୁତୟନ ହୋଇଥିଲେ।