ବାଲେଶ୍ବର: ଦେଢ଼କୋଟି ଟଙ୍କାରୁ ଊର୍ଦ୍ଧ୍ବ ଖର୍ଚ୍ଚରେ ଆସିଥିବା ଧାନସଫା ମେସିନ୍‌ ଖତ ଖାଉଛି। ତେବେ ଏହା ପଛର ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଭିତ୍ତିଭୂମି ନଥିବା ସତ୍ତ୍ବେ ଏହି ମେସିନ୍‌ କିଣା ଯାଇଥିଲା। ସମ୍ପୃକ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ଘରୋଇ ସଂସ୍ଥା ସହ ମିଶି ଏପରି କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ୨୦୨୪ ମସିହାରେ ଆର୍‌ଏମ୍‌ସି ପକ୍ଷରୁ ୬ଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଧାନ ସଫା ମେସିନ୍‌ କିଣାଯାଇଥିଲା। ବାଲେଶ୍ବର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ପକ୍ଷରୁ ମେସିନ୍‌ ଯୋଗାଇଥିବା ସଂସ୍ଥାକୁ ୧ କୋଟି ୬୩ ଲକ୍ଷ ୨୦ ହଜାର ଟଙ୍କା ପୈଠ କରାଯାଇଥିଲା। ଏହି ମେସିନ୍‌ର ବିଶେଷତ୍ବ ହେଉଛି, ଏହା ଗୋଟିଏ ସ୍ଥାନରୁ ଆଉ ଏକସ୍ଥାନକୁ ନିଆଯାଇ ଘଣ୍ଟାକୁ ୨୦ କ୍ବିଣ୍ଟାଲରୁ ଅଧିକ ଧାନସଫା କରାଯାଇ ପାରିବ। ଫଳରେ ଚାଷୀମାନେ ଏଫ୍‌ଏକ୍ୟୁ ମାନର ଧାନ ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ। ହେଲେ ମେସିନ୍‌ଗୁଡ଼ିକ ଆସିବା ଦିନଠାରୁ ବାଲେଶ୍ବର ସହର ଉପକଣ୍ଠ ବାମପଦା ସ୍ଥିତ ଆର୍‌ଏମ୍‌ସି କାର୍ଯ୍ୟାଳୟ ପରିସରରେ ପଡ଼ିରହି ଖତ ଖାଉଥିବା ଦେଖିବାକୁ ମିଳିଛି। ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ଦୃଷ୍ଟିକୁ ଆସିଛି।

Advertisment

ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏହି ମେସିନ୍‌ ଅଚଳ ପଡ଼ିବା ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ ଆର୍‌ଏମ୍‌ସିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଉକ୍ତ ଧାନ ସଫା ମେସିନ୍‌ ବ୍ୟବହାର ପାଇଁ ବିଭିନ୍ନ ପଞ୍ଚାୟତରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏହାକୁ ଚଲାଇବା ପାଇଁ ଘଣ୍ଟାକୁ ୨୦ ଲିଟର ଡିଜେଲ୍‌ କିମ୍ବା ୩ ଫେଜ୍‌ ବିଦ୍ୟୁତ୍‌ ଶକ୍ତି ଦରକାର ହେଉଛି। ଏହି ମେସିନ୍‌ ଚଳାଇବା କିମ୍ବା ଆବଶ୍ୟକ ସ୍ଥଳେ ମରାମତି ଲାଗି ଟେକ୍ନିସିଆନ୍‌ ମଧ୍ୟ ଯୋଗାଇ ଦିଆଯାଇନାହିଁ। ବାଲେଶ୍ୱରରେ ଛୋଟଛୋଟ ସମବାୟ ସମିତି ଥିବାରୁ ମେସିନ୍‌ଗୁଡ଼ିକ କିଣାହୋଇ ଆସିବା ଦିନଠାରୁ ଜିଲ୍ଲାର କୌଣସି ସମବାୟ ସମିତି କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି, ମେସିନ୍‌ କିଣାଯିବା ପୂର୍ବରୁ ଏଠାରେ ସେଭଳି ଭିତ୍ତିଭୂମି ନଥିବା ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯାଇଥିଲା। ଯାହାକୁ ଗୁରୁତ୍ବ ଦିଆଯାଇ ନଥିଲା। ସରକାରଙ୍କ ୧ କୋଟି ୬୩ ଲକ୍ଷ ୨୦ ହଜାର ଟଙ୍କା ଅଯଥାରେ ଖର୍ଚ୍ଚ କରାଯାଇଛି।  ଏନେଇ ଉଚ୍ଚସ୍ତରୀୟ ତଦନ୍ତ କଲେ ସତ ସାମ୍‌ନାକୁ ଆସିବ ବୋଲି ମତପ୍ରକାଶ ପାଉଛି।