କେସିଙ୍ଗା/ଉତ୍କେଲା: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ନେଇ ଗତ ୭ ତାରିଖ ଡିଜିସିଏ ଅନୁମତି ଦେଇଥିଲେ। ଆସନ୍ତା ୧୫ ତାରିଖ ଦିନ ବିମାନବନ୍ଦର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଥିବା ବେଳେ ଶନିବାର ବିମାନବନ୍ଦର ପାଚେରି ଭାଙ୍ଗି ଯାଇଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପାଣି ନିଷ୍କାସନ ହୋଇ ନପାରିବାରୁ ବାଡ଼ ଭଙ୍ଗିଯାଇଥିବା କହୁଛନ୍ତି। ନୂତନ ରନ୍ୱେ ଓ ଟର୍ମିନାଲ ସୁରକ୍ଷା ପାଇଁ ନିର୍ମାଣ ହେଉଥିବା ଏହି ବାଡ଼ ଭାଙ୍ଗିଯିବା ପରେ ବର୍ତ୍ତମାନ ବିମାନବନ୍ଦର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ସୋମବାର ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ) ପକ୍ଷରୁ ଅନୁମତି ମିଳିଛି। ଫଳରେ ଅନେକ ଦିନ ଧରି ଅପେକ୍ଷା କରି ରହିଥିବା କଳାହାଣ୍ଡିବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଡିଜିସିଏ ପକ୍ଷରୁ ଉତ୍କେଲାରୁ ବିମାନ ଚଳାଚଳ ନେଇ ସବୁଜ ସଂକେତ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଲାଇସେନ୍ସ ମିଳିବା ପରେ ଖୁବ୍ ଶୀଘ୍ର ଉତ୍କେଲାରୁ ଭୁବନେଶ୍ବରକୁ ବିମାନ ଉଡ଼ିବ। ଏହା ଦ୍ବାରା ଏହି ଅଞ୍ଚଳର ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।