ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ବାହାର ରାଜ୍ୟରେ ଯାଇ କାର୍ଯ୍ୟକରୁଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଥମିବାର ନା ନେଉନି। ଆଶ୍ଚର୍ଯ୍ୟଜନକ ଭାବେ କେବଳ ଡାବୁଗାଁ ଥାନା ଅଞ୍ଚଳରୁ ଗତ ୬ ମାସ ମଧ୍ୟରେ ୭ ଦାଦନ ଶ୍ରମିକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଲାଣି। ଗତ ସୋମବାର ଡାବୁଗାଁ ଥାନା କେରଣ୍ଡି ଗ୍ରାମର ଜଣେ ଦାଦନ ଶ୍ରମିକ ସୁଦୂର କେରଳର ଏକ କୋଠା ଘରକୁ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଅସାବଧାନତା ଯୋଗୁଁ କୋଠା ପାହାଚରୁ ଖସି ଯିବାରୁ କୋଠା ତଳ ଏକ ଗଭୀର କୁପରେ ପଡ଼ି ମୃତ୍ୟୁବରଣ କରିଛନ୍ତି।

Advertisment

ଏ ନେଇ କେରଳ ଥାନାରେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ନବରଙ୍ଗପୁର ଜିଲ୍ଲାକୁ ଶବ ପଠାଇଛି। ଆସନ୍ତାକାଲି ସୁଦ୍ଧା ମୃତଦେହ କେରଣ୍ଡି ଗ୍ରାମରେ ପହଞ୍ଚିବ ବୋଲି ଜଣା ପଡ଼ିଛି। ମୃତ ଦାଦନ ଶ୍ରମିକ କେରଣ୍ଡି ଗ୍ରାମର କୁନୁ ଭତ୍ରା ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ହାତୀବେଡା ପଞ୍ଚାୟତ ଅନ୍ତର୍ଗତ କେରଣ୍ଡି ଗ୍ରାମର କୁନୁ ଭତ୍ରା (୪୭) ଗ୍ରାମର ଅନ୍ୟ ଜଣେ ଦାଦନ ମୋତିରାମ ନାୟକଙ୍କୁ ସାଥୀ କରି ନୁଆଖିଆ ପର୍ବ ପରେ ଚଳିତ ମାସ ୧୩ ତାରିଖ ସୋମବାର ଦିନ ଦାଦନ ଖଟିବାକୁ ସୁଦୂର କେରଳ ରାଜ୍ୟକୁ ଯାଇଥିଲେ। କେରଳର ମାଲ ଫରମ୍‌ ଜିଲ୍ଲା ଚେମର ଥାନା ଅନ୍ତର୍ଗତ ବାଲ୍ୟ ଫରମ୍‌ ଗ୍ରାମରେ ଏକ କୋଠାଘର ଭାଙ୍ଗିବା କାର୍ଯ୍ୟ କରିବା ପାଇଁ ଯାଇଥିଲେ। ରାସ୍ତା ପ୍ରଶସ୍ତିକରଣ ପାଇଁ କୋଠାଘର ଭଙ୍ଗା ଯାଉଥିଲା।

ତେବେ ଗତ ୨୦ ତାରିଖ ଦିନ ପ୍ରାୟ ୧୨ ଘଣ୍ଟ ସମୟରେ କୋଠା ଭାଙ୍ଗିବା କାର୍ଯ୍ୟ ଚାଲୁଥିବା ସମୟରେ କେରଣ୍ଡି ଗ୍ରାମର କୁନୁ କୌଣସି କାର୍ଯ୍ୟରେ କୋଠା ଉପରୁ ତଳକୁ ପାହାଚ ଦେଇ ଓହ୍ଲାଇବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ପାହାଚ ତଳେ ଥିବା ଏକ ଗଭୀର କୂଅ ମଧ୍ୟରେ ପଡି ଯାଇଥିଲେ। କୂଅରେ କୁନୁ ପଡ଼ିବା ପରେ ବିରାଟ ଶବ୍ଦ ହେବାରୁ ପାଖରେ ଥିବା ଶ୍ରମିକ ମାନେ ଆସି ପହଞ୍ଚି ଦେଖିବା ବେଳକୁ କୁନୁ ଗଭୀର କୂଅ ମଧ୍ୟରେ ଖସି ପଡ଼ିଥିଲା। ସେଠାରେ ଶ୍ରମିକ ମାନେ କୂଅରୁ କୁନୁକୁ ଉଦ୍ଧାର କରି ନିକଟ ଏକ ଡ଼ାକ୍ତରଖାନାକୁ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ କୁନୁକୁ ମୃତ ଘୋଷଣା କରିଥିଲେ।