ଆନ୍ଧ୍ରରେ ପୁଣି ଜ‌ଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବେଲପଡ଼ା: ପେଟକୁ ଦାନା ଯୋଗାଡ଼ ପାଇଁ ଆନ୍ଧ୍ରପ୍ରଦେଶର ଇଟାଭାଟିକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲାର ଆଉ ଜଣେ ଶ୍ରମିକଙ୍କ ସେଠାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ମିଶାଇ ମାସକ ମଧ୍ୟରେ ଅଞ୍ଚଳର ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲାଣି। ତଥାପି ଶ୍ରମ ବିଭାଗ ଚୁପ୍‌ ରହିଛି। ସେହିପରି ପ୍ରଶାସନର ବି ଏଥିପ୍ରତି ନିଘା ନାହିଁ ବୋଲି ଆଲୋଚନା ହେଉଛି।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ସରମୁହାଣ ଗ୍ରାମର ଶ୍ରମିକ ଡୋଳାମଣି ଗୁଆଲ (୪୫) ସ୍ତ୍ରୀ ଟିମରେ ଗୁଆଲ, ଦୁଇପୁଅ ଓଁକାର ଗୁଆଲ (୧୨) ଓ ତୁଙ୍ଗୁନାଥ ଗୁଆଲ (୧୦)ଙ୍କ ସହିତ କିଛି ମାସ ତଳେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ଏଥିପାଇଁ ସେ ସ୍ଥାନୀୟ ଦାଦନ ଦଲାଲ ସୁଲତାନ ଖାଁଙ୍କ ଠାରୁ କିଛି ଅଗ୍ରିମ ନେଇଥିଲେ। ସେଠାକାର ଇଟାଭାଟିରେ ଦିନରାତି ହାଡ଼ଭଙ୍ଗା ପରିଶ୍ରମ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏ ନେଇ ପରିବାର ଲୋକେ ଇଟାଭାଟି ମାଲିକ ଗୁଲଗୁଲଲୋଟ ଲଟଚିରାମଙ୍କୁ କହିଥିଲେ। ହେଲେ ମାଲିକ ତାଙ୍କ କଥାକୁ ଗୁରୁତ୍ଵ ଦେଇ ନଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ନିଜସ୍ଵ ଖର୍ଚ୍ଚରେ ଡାକ୍ତରଖାନା ନେଇଥିଲେ। କିନ୍ତୁ ସେଠିକାର ଡାକ୍ତର ତାଙ୍କୁ ବଡ଼ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ହେଲେ ସେଥିପାଇଁ ତାଙ୍କ ପାଖରେ ଟଙ୍କା ନଥିଲା ବୋଲି ଟିମରେ ଗୁଆଲ ପ୍ରକାଶ କରିଥିଲେ। ଡୋଳାମଣିଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହେଉଥିବା ଅନୁଭବ କରି ଇଟାଭାଟି ମାଲିକ ଡୋଳାମଣି ଓ ତାଙ୍କ ପରିବାର ଲୋକଙ୍କୁ ବସ୍‌ଯୋଗେ ନିଜ ଗାଁକୁ ପଠାଇବା ବ୍ୟବସ୍ଥା କରିଥିଲେ। ‌ଘରକୁ ଫେରୁଥିବା ସମୟରେ ରାସ୍ତାରେ ହିଁ ଡୋଳାମଣିଙ୍କ ମୃତ୍ୟୁ ହୋଇଥିଲା।

ସୂଚନା‌ଯୋଗ୍ୟ ଯେ ବେଲପଡ଼ା ବ୍ଲକ୍‌ରେ ବାରମ୍ବାର ଏଭଳି ଘଟଣା ଘଟୁଛି। ତଥାପି ମୃତକଙ୍କ ପରିବାର ଲୋକଙ୍କ ପାଖକୁ ପ୍ରଶାସନ କିଂବା ଶ୍ରମ ବିଭାଗ ପହଞ୍ଚୁ ନାହାନ୍ତି। ପୁଣି ବିନା ପଞ୍ଜୀକରଣରେ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ତେଣୁ ଦାଦନ ଦଲାଲମାନଙ୍କ ପଞ୍ଜୀକରଣ ଯାଞ୍ଚ କରାଯାଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର