ଆନ୍ଧ୍ରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ନିକଟରେ ନାହିଁ ଅର୍ଥ

ନାରାୟଣପାଟଣା/କୋରାପୁଟ: ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀରେ ଏକ ଚିଙ୍ଗୁଡ଼ି କାରଖାନାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଦାଦନ ଶ୍ରମିକ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତ ଦଣ୍ଡାବାଡ଼ି ଗ୍ରାମର ଜୁମ୍ବେରା ଵାଟେକା (୨୨) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଦଣ୍ଡାବାଡ଼ି ଗ୍ରାମର ଚନ୍ଦ୍ରେୟା ଵାଟେକାଙ୍କ ଏକ ବୋଲି ପୁଅ ଜୁମ୍ବେରା ଗତ ତିନି ମାସ ତଳେ ଦାଦନ ଖଟିବାକୁ ଆନ୍ଧ୍ରର ରାଜମହେନ୍ଦ୍ରୀ ଯାଇଥିଲେ। ତାଙ୍କ ସହ ଗାଁର ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ଯାଇଥିଲେ। ସେଠାରେ ସମସ୍ତେ ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ। ତେବେ ଗତକାଲି ସମସ୍ତେ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲା ବେଳେ ସନ୍ଧ୍ୟା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯିବାରୁ ଜୁମ୍ବେରାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ସହ ଯାଇଥିବା ଅନ୍ୟ ଦୁଇ ଯୁବକ ମୃତ ଜୁମ୍ବେରାଙ୍କ ପରିବାରକୁ ଘଟଣା ସଂପର୍କରେ ଜଣାଇବାକୁ ଫୋନ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ହୋଇନଥିଲା।

ତେବେ ଆଜି ସକାଳେ ପରିବାର ଲୋକେ ପୁଅ ଏଭଳି ଅକସ୍ମାତ୍ ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଅନ୍ୟପଟେ ପୁଅ ପାଖକୁ ଯାଇ ଦେଖି ତାଙ୍କ ଶବ ଗାଁକୁ ଆଣିବାକୁ ପରିବାର ନିକଟରେ ଅର୍ଥ ନାହିଁ। ଫଳରେ ପରିବାର ଲୋକ ଚିନ୍ତାରେ ରହିଥିଲେ। ଏଭଳି ସମୟରେ ସହାୟତାର ହାତ ବଢାଇଥିଲେ ଗ୍ରାମବାସୀ। ଗ୍ରାମର କିଛି ଲୋକ ନିଜ ମଧ୍ୟରେ ଟଙ୍କା ଆଦାୟ କରି ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ। ଏଥିସହ ଏକ ଗାଡ଼ି ବ୍ୟବସ୍ଥା କରି ପରିବାର ଲୋକ ସହ ଗ୍ରାମର କିଛି ବ୍ୟକ୍ତି ବାହାରି ରାଜମହେନ୍ଦ୍ରୀ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ଆସନ୍ତାକାଲି ସେଠାରେ ପହଞ୍ଚିବା ପରେ ସେଠାକାର ପୁଲିସ ସହାୟତାରେ ଶବ ଗାଁକୁ ଅଣାଯିବ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର