କଟକ: ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଅବର୍ତ୍ତମାନରେ ଅପୂରଣୀୟ କ୍ଷତି ଘଟିଛି ବୋଲି ଆମେ କହିଥାଉ। ମାତ୍ର ଏହା କହି ଆମେ ଆମର ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛୁ। ଯେଉଁ ବ୍ୟକ୍ତିଙ୍କ ଶ୍ରାଦ୍ଧସଭାରେ ଆମେ ଯୋଗଦେଇ ତାଙ୍କ ପରଲୋକ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହୁଛୁ, ସେହି ଶୂନ୍ୟସ୍ଥାନକୁ ଯେତେ ଶୀଘ୍ର ଆମେ ପୂରଣ କରିବା ତାହା ତାଙ୍କ ପ୍ରତି ଆମର ସେତେ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ରେଭେନ୍ସା ଆନେକ୍ସ-୧ରେ ଆୟୋଜିତ ‘ପ୍ରଫେସର ବାଉରୀବନ୍ଧୁ କର ସ୍ମୃତି ସମାରୋହ ଓ ଆଲୋଚନାଚକ୍ର‌’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆମ ସଂସ୍କୃତି, ଭାଷ‌ା, ସାହିତ୍ୟରେ କୌଣସି ଶୂନ୍ୟସ୍ଥାନ ନରହୁ। ଯଦି ତାହାକୁ ପୂରଣ କରିବାକୁ ଆମେ ସମର୍ଥ ନୁହଁ, ତେବେ ବିଶିଷ୍ଟ ବ୍ୟକ୍ତିଙ୍କ ଦାୟାଦ ବୋଲି ନିଜକୁ କହିବା ଭୁଲ ହେବ। ବାଉରୀବନ୍ଧୁଙ୍କ ପରି ଜଣେ ସଫଳ ମଣିଷ ଏ ସମାଜରେ ବହୁତ କମ ଅଛନ୍ତି। ସେ ଏପରି ଜଣେ ଛାତ୍ର ଥିଲେ ଯିଏ ଗୁରୁକୃପା ଲାଭ କରିବା ସହ ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

Advertisment

ରେଭେନ୍ସା ଓଡ଼ିଆ ବିଭାଗ ମୁଖ୍ୟ ବିଜୟଲକ୍ଷ୍ମୀ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ସାହିତ୍ୟ ସମାଲୋଚକ ଦାଶରଥି ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟ ସମାଲୋଚକ ସଂଘମିତ୍ରା ମିଶ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜବିଜ୍ଞାନୀ ଅନନ୍ତ କୁମାର ଗିରି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତିଷ୍ଠାନ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଡକ୍ଟର ଶରତ ଚନ୍ଦ୍ର ମହାନ୍ତିଙ୍କ ‌ଲିଖିତ ପୁସ୍ତକ ‘ଓଡ଼ିଶାର ପର୍ବପର୍ବାଣି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜା କୁମାର ନାଏକ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ ବିଜୟଲକ୍ଷ୍ମୀ ଦାଶ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ସୁରେଶ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶୁଭଶ୍ରୀ କର ଧନ୍ୟବାଦ ଅର୍ପଣ କରିଥିଲେ।