ଅଳ୍ପକେ ବର୍ତ୍ତିଲେ ନଦୀକୁ ଡେଇଁଥିବା ପ୍ରେମୀଯୁଗଳ!

ରରୁଆଁ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରେମୀଯୁଗଳ ଅଳ୍ପକେ ବର୍ତ୍ତିଯାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ରରୁଆଁ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦେଢ କିମି ଦୂର ରରୁଆଁ ଶୁକୃଳି ରାସ୍ତାର ଖଇରୀଭଣ୍ଡନ ନଦୀରେ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତିଥିବା ଦୁଇ ପ୍ରେମୀଯୁଗଳ‌ ଫେରାର୍‌ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନଦୀରେ କମ୍‌ ପାଣି ଏବଂ ସ୍ରୋତ ପ୍ରଖର ଥିବାରୁ ପ୍ରେମୀଯୁଗଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ଅପରାହ୍ନ ୨ଟା ବେଳେ ନାଲି ଟି-ସାର୍ଟ ଏବଂ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ଜଣେ ଯୁବତୀ ପ୍ରଥମେ ଖଇରୀଭଣ୍ଡନ ନଦୀ ପୋଲ ଉପରୁ ନଦୀଗର୍ଭକୁ ଡେଇଁ ପଡ଼ିଥିଲା। ପରେ ଜଣେ ଯୁବକ ସଂଗେସଂଗେ ନଦୀକୁ ଡେଇଁ ପଡ଼ିଥିଲା। ତେବେ ନଦୀରେ ବେଶୀ ପାଣି ନ ଥିବାରୁ ଦୁହେଁ କୋଳାକୋଳି ହୋଇ କୂଳରେ ପହଞ୍ଚି ଉପରକୁ ଉଠି ଆସିଥିଲେ। କେହି କିଛି ଜାଣିବା ପୂର୍ବରୁ ଯୁବକ ଜଣକ ମୁହଁରେ ରୁମାଲ ବାନ୍ଧି ପଲସର ବାଇକ୍‌ରେ ଯୁବତୀଙ୍କୁ ବସାଇ ରରୁଆଁ ଅଭିମୁଖେ ଚାଲି ଯାଇଥିଲେ। ତେବେ ଦୁଇଜଣଙ୍କ ଘର ଠିକଣା, କ’ଣ ପାଇଁ ନଦୀକୁ ଡେଇଁଲେ, କୋଉଁଠୁ ଆସିଥିଲେ ଏହା ରହସ୍ୟ ହୋଇ ରହିଛି। ଉକ୍ତ ଘଟଣାକୁ ନେଇ ରରୁଆଁ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର