ପୁଅକୁ ଟାଣିନେଲା ବୈତରଣୀ, ଉଦ୍ଧାର ପାଇଲେ ମା’

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନାର ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ଖପୁରିଆପଦାଠାରେ ବୈତରଣୀ ନଦୀରେ ଆଜି ଏକ ଅଘଟଣ ଘଟିଛି। ମା’ପୁଅ ନଦୀରେ ଗାଧେଇଲାବେଳେ ସ୍ରୋତରେ ଭାସି ଯାଇ ୧୨ ବର୍ଷର ପୁଅର ମୃତ୍ୟୁ ହୋଇ ଯାଇଥିବାବେଳେ ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ି ଯାଉଥିବା ମା’ ଅଳ୍ପକେ ଉଦ୍ଧାର ପାଇଯାଇଛନ୍ତି। ନିକଟରେ ପ୍ରାଣ ହରାଇଥିବା ମୃତ ଶିଶୁର ଜେଜେମାଙ୍କର ଏକାଦଶାହ ନ ଯାଉଣୁ ନାତିର ଅକାଳ ମୃତ୍ୟୁ ପରିବାରକୁ ଦୁଃଖରେ ଭସାଇ ଦେଇଛି।

ଖପୁରିଆପଦା ଘାଟର ଅପରପାର୍ଶ୍ୱ ଯାଜପୁର ଜିଲ୍ଲା କୋରୋଇ ଥାନା ବନ୍ଦାଳୋ ପଞ୍ଚାୟତ ଘନଶ୍ୟାମପୁରଶାସନ ଗ୍ରାମର ଶତ୍ରୁଘ୍ନ ପତିଙ୍କ ସ୍ତ୍ରୀ ମଞ୍ଜୁଲତା ଓ ତାଙ୍କ ପୁଅ ମନୀଷ ଓରଫ ସୋନୁ ଆଜି ସକାଳ ୮ଟାରେ ନଦୀକୁ ଗାଧୋଇବାକୁ ଆସିଥିଲେ। ଅସାବଧାନତା ବଶତଃ ସୋନୁ ଗଭୀର ଜଳକୁ ଭାସି ଯାଉଥିବା ଦେଖି ମା’ ପୁଅକୁ ଉଦ୍ଧାର କରିବାକୁ ଗଭୀର ଜଳକୁ ଚାଲି ଯାଇଥିଲେ। ହେଲେ ଅପ୍ରାଣ ଚେଷ୍ଟା ସତ୍ତ୍ୱେ ସେ ପୁଅକୁ ରକ୍ଷା କରିବାରେ ବିଫଳ ହୋଇଥିଲେ। ମା’ର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଓ ବିଜୁ ଯୁବବାହିନୀର ସଦସ୍ୟ ନଦୀକୁ ଡେଇଁ ମଞ୍ଜୁଙ୍କୁ ଉଦ୍ଧାର କରିବା ସହ କୋରେଇ ଓ ଭଣ୍ଡାରିପୋଖରୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦୀର୍ଘ ୩ ଘଣ୍ଟା ପରିଶ୍ରମ କରି ଦମକଳ ବାହିନୀ ସୋନୁ ନଦୀଗର୍ଭରୁ ଉଦ୍ଧାର କରି କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର