ଚଣ୍ଡିଖୋଲ: ପ୍ରେମରେ ବାଧକ ସାଜିଲେ ଦୁଇ ପରିବାର। ଏହାକୁ ସହିନପାରି ଆଗପଛ ହୋଇ ଜୀବନ ହାରିଦେଲେ ପ୍ରେମୀଯୁଗଳ। ଗତକାଲି ପ୍ରେମିକ ଆତ୍ମହତ୍ୟା କରିଥିଲେ। ଆଜି ପ୍ରେମିକା ମଧ୍ୟ ଜୀବନ ହାରି ଦେଇଛନ୍ତି। ବଡ଼ଚଣା ବ୍ଲକ ତଥା ବୈରୀ ଥାନା ବିରିଜଙ୍ଗା ଗ୍ରାମର ଏ ଘଟଣା ​ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବୈରୀ ଥାନା ତଥା କାଇମାଟିଆ ପଞ୍ଚାୟତ ବିରିଜଙ୍ଗା ଗ୍ରାମର ପ୍ରଭାତ ଲେଙ୍କା (୨୫) ରବିବାର ବିଷ ପିଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପ୍ରେମିକା ନମିତା ସାହୁ (୨୪) ନିଜ ଶୋଇବାଘରେ ପଙ୍ଖାରେ ଝୁଲିପଡ଼ିଥିଲେ। ଉଭୟଙ୍କ ମଧ୍ୟରେ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

Advertisment

ଏମାନଙ୍କ ସମ୍ପର୍କକୁ କେନ୍ଦ୍ରକରି ଦୁଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଏନେଇ ଉଭୟ ପରିବାର ଥାନାର ଦ୍ୱାରସ୍ଥ ହେବା ପରେ ବୁଝାମଣା ହୋଇଥିଲା। ପରବର୍ତ୍ତୀ ସମୟରେ ଦୁଇ ପ୍ରେମୀଯୁଗଳଙ୍କ ମଧ୍ୟରେ ମିଳାମିଶା ଓ କଥାବାର୍ତ୍ତା  ବନ୍ଦ ହୋଇଯାଇଥିଲା। ଏହାକୁ ସହିନପାରି ଗତକାଲି ପ୍ରଭାତ ବିଷ ପିଇ ଦେଇଥିଲେ। ପ୍ରେମିକ ଆତ୍ମହତ୍ୟା କରିବା ଜାଣି ଆଜି ସକାଳେ ପ୍ରେମିକା ନମିତା ନିଜ ଘରେ ପଙ୍ଖାରେ ବେକରେ ଓଢଣି ଗୁଡ଼ାଇ ଝୁଲିପଡ଼ିଥିଲେ। ଝିଅ ପରିବାର ପକ୍ଷରୁ ବୈରୀ ଥାନାରେ ଜଣାଇବା ପରେ ପୁଲିସ କେସ ନମ୍ବର ୫/୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ସୂଚନା ଦେଇଛନ୍ତି।