ରେଢ଼ାଖୋଲ: ପ୍ରଥମେ ପ୍ରେମ, ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରେମିକା ଗର୍ଭବତୀ ହେବା ଜାଣିବା ପରେ ଯୁବକ ଫେରାର୍ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ୭ ମାସର ଗର୍ଭବତୀ ପ୍ରେମିକା ଏବେ ଥାନାର ଦ୍ବାରସ୍ଥ।
ସୂଚନା ଅନୁସାରେ, ରେଢ଼ାଖୋଲ ଥାନା ତ୍ରିବଣପୁର ନିକଟ ସାନକଷିବାହାଳ ଗ୍ରାମର ଅକ୍ଷୟ ମୁଣ୍ତା ରେଢ଼ାଖୋଲ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବର୍ଷେ ତଳେ ଚେନ୍ନାଇ ନେଇ ଯାଇଥିଲେ। ସେଠାରେ ଉଭୟ ବର୍ଷେ କାଳ ଧରି ଏକାଠି ରହୁଥିଲେ। ପ୍ରାୟ ଦୁଇମାସ ତଳେ ଉଭୟ ଚେନ୍ନାଇରୁ ଫେରିଥିଲେ। ତେବେ ଉଭୟ ନିଜ ନିଜ ଘରକୁ ନ ଫେରି ରେଢ଼ାଖୋଲରେ ଘରଭଡ଼ା ନେଇ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ଇତିମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ତିନିଦିନ ତଳେ ଅକ୍ଷୟ ଯୁବତୀଙ୍କୁ ନେଇ ତାଙ୍କ ବାପ ଘରେ ଛାଡିଦେଇ ଆସିଥିଲେ। ଏହା ପରେ ଅକ୍ଷୟ ଆଉ ଯୁବତୀଙ୍କ ସହିତ ଯୋଗାଯୋଗରେ ରହିଲେ ନାହିଁ।
ଫୋନ ମଧ୍ୟ ବନ୍ଦ କରି ଦେଇଥିଲେ। ଫଳରେ ଗର୍ଭବତୀ ଥିବା ଯୁବତୀ ଜଣକ ଅସହାୟ ହୋଇ ନିଜର ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ପରିବାର ଲୋକ ଯୁବକଙ୍କ ଘରକୁ ଯାଇଥିଲେ। ସେଠାରେ ବି ଅକ୍ଷୟଙ୍କୁ ପାଇନଥିଲେ। ଏ ବାବଦରେ ଯୁବତୀଙ୍କ ପରିବାର ଭଦ୍ରଲୋକଙ୍କୁ ଡାକି ଏକ ବୈଠକ କରିଥିଲେ ହେଁ ସେଠାରେ ମଧ୍ୟ ଯୁବକ ଜଣକ ଧରାଛୁଆଁ ଦେଇନଥିଲେ। ଫଳରେ ଯୁବତୀ ଜଣକ ନିଜ ପରିବାର ସହ ରେଢ଼ାଖୋଲ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ, ଏନେଇ ଅଭିଯୋଗ ଆସିଛି। ତଦନ୍ତ ଚାଲିଛି ଆସନ୍ତାକାଲି ସମସ୍ତ ତଥ୍ୟ ଦିଆଯିବ ବୋଲି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/14-3.jpg)