ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁପୁତ୍ରକୁ ହତ୍ୟା; ଅଭିଯୁକ୍ତର ଆତ୍ମସମର୍ପଣ, ଏମ-୧୯ରେ ଉତ୍ତେଜନା

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୯ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏମଭି-୧୯ ଗ୍ରାମର ହରଧନ ମଣ୍ଡଳ ଏବଂ ବିକାଶ ରାୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା କୌଣସି ଘଟଣାକୁ ନେଇ ଶତ୍ରୁତା ରହିଥିଲା। ବହୁ ସମୟରେ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଥିଲା। ତେବେ ବିକାଶ ରାୟ ରାଗ ଶୁଝାଇବାକୁ ଯାଇ ହାରଧାନ ମଣ୍ଡଳର ୫ ବର୍ଷର ପୁଅ ଅଙ୍କିତ ମଣ୍ଡଳକୁ ଅପହରଣ କରି ନେଇ ଘରେ ହିଁ ତାକୁ ଗାମୁଛାରେ ଅତି ନିର୍ମମ ଭାବେ ହତ୍ୟା କରିଥିଲା।ହତ୍ୟା ପରେ ଘରେ ଏକ କମ୍ବଳ ଘୋଡାଇ ଲୁଚାଇ ରଖିଥିଲା।

ଗତକାଲି ଠାରୁ ଅଙ୍କିତ ନିଖୋଜ ଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଅଙ୍କିତ ନମିଳିବାରୁ ଆଜି ସକାଳେ ମାଲକାନଗିରି ଥାନାରେ ଅଙ୍କିତ ନିଖୋଜ ନେଇ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଏମଭି-୧୯ ଗ୍ରାମରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ବିକାଶ ରାୟ ନିଜେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା।

ଅଙ୍କିତକୁ ଘରେ ଲୁଚାଇ ରଖିଥିବା ସ୍ବୀକାର କରିଥିଲା। ପୁଲିସ ଶବକୁ ଉଦ୍ଧାର କରିବା ପରେ ବ୍ୟବଛେଦ କରାଇଛି। ଅଭିଯୁକ୍ତ ବିକାଶକୁ ଗିରଫ କରିବା ପରେ ତଦନ୍ତ ଜାରି ରଖିଥିବା ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ଜଣାପଡିବା ପରେ ଏମଭି-୧୯ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଶାନ୍ତ କରିବାରେ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର