ଟ୍ରେନ୍‌ ବଗି ତଳେ ଗୋଡ଼ ହରାଇଲେ ନାବାଳକ

ଗୋରୁମହିଷାଣୀ/ଗୁହାଳଡାଙ୍ଗରୀ : ଷ୍ଟେସନଠାରୁ ଅଳ୍ପ ଦୂରରେ ଠିଆ ହୋଇଥିବା ମାଲବାହୀ ଟ୍ରେନ୍‌ ତଳେ ଜଣେ ନାବାଳକ ଗଳି କରି ଯାଉଥିଲା। ଏତିକିବେଳେ ଟ୍ରେନ୍‌ଟି ଗଡ଼ିବା ଆରମ୍ଭ କରିଥିଲା। ଫଳରେ ତା’ର ଦୁଇଟି ଯାକ ଗୋଡ଼ କଟି ଯାଇ ଦୁଇଖଣ୍ଡ ହୋଇଯାଇଛି। ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ରେଳ ଷ୍ଟେସନରୁ ମାତ୍ର ୧ କିମି ଦୂରରେ ଘଟିଛି। ଗୁରୁତର ହୋଇଥିବା ନାବାଳକ ଜଣକ ହେଉଛି କୁଲେଇଶିଳା ଗ୍ରାମର ସନ୍ତୋଷ ପାଟବନ୍ଧାଙ୍କ ପୁଅ ସୋନୁ(୧୨)। ତାକୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଟାଟାନଗରରୁ ଗୋରୁମହିଷାଣୀକୁ ଲୁହାପଥର ବୋଝେଇ ଟ୍ରେନ୍‌ ଆସୁଥିଲା। ତେବେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଷ୍ଟେସନରେ ୧ କିମି ପୂର୍ବରୁ ଟ୍ରେନଟି ଅଟକିଥିଲା। ସୋନୁ ଟ୍ରେନ୍‌ ତଳେ ଗଳି ଏପାଖରୁ ସେପାଖକୁ ଯାଉଥିଲା। ଏତିକିବେଳେ ଟ୍ରେନ୍‌ଟି ଛାଡ଼ି ଦେଇଥିଲା। ଫଳରେ ଟ୍ରେନ ଚକ ତଳେ ପେଶି ହୋଇ ତାଙ୍କର ଦୁଇଟି ଗୋଡ଼ କଟି ଯାଇଥିଲା। ସ୍ଥାନୀୟ ଲୋକେ ତାକୁ ଗୁରୁତର ଭାବେ ଉଦ୍ଧାର କରି ଗୋରୁମହିଷାଣୀ ହସ୍ପିଟାଲକୁ ନେଇଥିଲେ। ପରେ ତାକୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ସୋନୁ ଗୋରୁମହିଷାଣୀ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ର।

ସମ୍ବନ୍ଧିତ ଖବର