ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ଏନଏସି ଅନ୍ତର୍ଗତ ମର୍ଣ୍ଣିଙ୍ଗ୍ ସାହିର ଜେ ଗୋପୀ ମନ୍ମଥଙ୍କ ୭ ବର୍ଷର ପୁଅ ଜେ ହାର୍ଦ୍ଦିକ ଗତ ଦୁଇ ଦିନ ହେଲା ନିଖୋଜ ଥିଲେ। କାଶୀନଗର ଠାରୁ ୩ କିଲୋମିଟର ଦୂରରେ କଇଠ ପଦର ସ୍ଥିତ ସିମେଣ୍ଟ ସାମଗ୍ରୀ ତିଆରି କାରାଖାନା ନିକଟରୁ ଆଜି ହାର୍ଦ୍ଦିକକୁ ଉଦ୍ଧାର କରାଯାଇଛି। ଆଜି ସକାଳୁ ହାର୍ଦ୍ଦିକ ବାପାଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନ କରି ଜଣାଇଥିଲେ ଯେ କାରାଖାନା ନିକଟରେ ହାର୍ଦ୍ଦିକ ଅଛନ୍ତି। ଏହାପରେ ଗୋପୀ ଓ ପୁଲିସ ସେଠାରେ ପହଞ୍ଚି ହାର୍ଦ୍ଦିକକୁ ଉଦ୍ଧାର କରିଛନ୍ତି। କାଶୀନଗର ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, କାଶୀନଗର ମର୍ଣ୍ଣିଙ୍ଗି ସାହିରେ ହାର୍ଦ୍ଦିକ କିଛି ପିଲାଙ୍କ ସହ ମିଶି ଖେଳୁଥିଲା । ଏହି ସମୟରେ ସେଠାରେ ଦୁଇଜଣ ବ୍ୟକ୍ତି ଏକ ବାଇକ ଯୋଗେ ଆସି ତାକୁ ଡାକିଥିଲେ। ଗୋପୀ ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ବାପାଙ୍କ କାଜୁ ଗୋଦାମ ଦେଖାଇବା କଥା କହି ତାକୁ ନିଜ ସାଙ୍ଗରେ ନେଇଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ଅନେକ ରାତି ଯାଏ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ସହ ସେ ଖେଳୁଥିବା ପିଲାମାନଙ୍କୁ ପଚାରିବାରୁ ଏସଂପର୍କରେ ସେମାନେ ଜଣାଇଥିଲେ।
ଏହାପରେ ପରିବାର ଲୋକେ ପୁଅକୁ କେହି ଅପହରଣ କରିନେଇଥିବା ସନ୍ଦେହ ପ୍ରକାଶ କରି କାଶୀନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/child-missing.jpg)