ଶେରଗଡ଼ (ସୁବ୍ରତ ପଣ୍ଡା): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନପୁଅ ଜଗା। ମାତ୍ର ୧୦ ବର୍ଷ ବୟସରେ ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ହୋଇ ଖେଳିବା ବୁଲିବା ବୟସରେ ଜୀବନ ସହ ସଂଘର୍ଷ କରୁଛି। ସେପଟେ ଅର୍ଥାଭାବରୁ ମଧ୍ୟ ବାପା ପ୍ରଭାକର ପୁଅର ଚିକିତ୍ସାକୁ ଅଧାରୁ ବନ୍ଦ କରି ଭାଗ୍ୟକୁ ନିନ୍ଦି ମହାପ୍ରଭୁ ଜଗନ୍ନାଥଙ୍କ ଭରସାରେ ରହିଛନ୍ତି। କାରଣ ଜଗା ପୂର୍ବରୁ ତା’ର ୪ଭଉଣୀ ଓ ୨ ଭାଇ ମଧ୍ୟ ଏଭଳି ଚର୍ମରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ। ଫଳରେ ଏହି ରୋଗ ପରିବାର ପାଇଁ ଯେମିତି ଅଭିଶପ୍ତ ପାଲଟିଛି ବୋଲି ମତପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାନୁସାରେ, ପୂର୍ବରୁ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରଭାକରଙ୍କ ୬ ସନ୍ତାନ ପ୍ରାଣ ହରାଇଥିଲେ। ଫଳରେ ଜଗା ଗର୍ଭରେ ଥିବା ବେଳେ ଛଅ ମାସରୁ ଆରମ୍ଭ କରି ତା’ର ଜନ୍ମ ପର୍ଯ୍ୟନ୍ତ ତାକୁ ଔଷଧ ଦିଆଯାଇଥିଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନା ଜଗା ଜନ୍ମ ନେବା ପରେ ପୁଣି ପ୍ରଭାକରଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିଲା। କାରଣ ଜଗା ବି ସେହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିଲା। ମାତ୍ର ଅଧଘଣ୍ଟା ପରେ ତା’ର ଦେହରୁ ଚର୍ମ ଛାଡ଼ିବା ଆରମ୍ଭ ହେବା ସହ ପୋଡ଼ିବା ଭଳି ଦିଶିଥିଲା।
ଏହା ଭିତରେ ଜଗା ୧୦ ବର୍ଷ ବୟସର ହୋଇସାରିଛି। ପ୍ରତି ମୂହୁର୍ତ୍ତରେ ଜୀବନ ସହ ସେ ସଂଘର୍ଷ କରୁଛି। ଧାରକରଜ କରି ଚିକିତ୍ସା ପାଇଁ ପ୍ରଭାକର ୫ ଲକ୍ଷ ଟଙ୍କା ସାରିଥିଲେ ବି କୌଣସି ସୁଫଳ ମିଳୁନାହିଁ। ବିଶେଷକରି ଖରାଦିନରେ ଜଗାର ଯନ୍ତ୍ରଣା ଅସହ୍ୟ ହେଉଛି। ଶରୀର ଜଳାପୋଡ଼ା କରୁଥିବାରୁ ଦିନତମାମ ସେ ପାଣିକୁଣ୍ଡ ମଧ୍ୟରେ ବସି ରହୁଛି। ପ୍ରଭାକର ଜଗାକୁ ବଞ୍ଚାଇବାକୁ ସବୁ ପ୍ରୟାସ କରି ବି ବିଫଳ ହୋଇଛନ୍ତି। ଆଉ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି।
ଅନ୍ୟପକ୍ଷରେ ଗତ ସପ୍ତାହରେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକ ଡାକ୍ତରୀ ଦଳ ଜଗାର ଘରକୁ ଯାଇଥିଲେ ଓ ତାକୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖକୁ ଅଣାଯାଇଥିଲା। ଜଗାକୁ ‘ଅଟୋସମାଲ ଜେନେଟିକ ଡିସଅର୍ଡର’ ହୋଇଥିବା ଜଣାପଡ଼ିବା ପରେ ଏମ୍ସକୁ ରେଫର୍ କରାଯାଇଥିଲା। ବିଡିଓ ସୁରଞ୍ଜନ କୁମାର ସାହୁ ରେଡକ୍ରସ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।