ଗଳାକାଟି ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ତି ଅଧୀନ ପୁହୁଣ୍ତି ଗ୍ରାମରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଅପରାଧ। ପରକୀୟା ପ୍ରୀତିର କରୁଣ ପରିଣତି ସ୍ବରୂପ ପ୍ରଥମେ ପ୍ରେମିକାର ଗଳାକାଟି ହତ୍ୟା କଲା ଯୁବକ। ପରେ ନିଜେ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତା ମହିଳା ଜଣକ ପୁହୁଣ୍ଡି ଗ୍ରାମର ବିଜୟ ଗୌଡ଼ଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ (୩୭) ଏବଂ ମୃତ ଯୁବକ ଜଣକ କେ. ନୂଆଗାଁ ଥାନା ପତିଗୋବିନ୍ଦପୁର ଗ୍ରାମର ତ୍ରିନାଥ ପତିଙ୍କ ପୁତ୍ର ଅମର (୨୮)। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ଗୋପୀନାଥପୁର ଗ୍ରାମର ଲକ୍ଷ୍ମୀ ପୁହୁଣ୍ତି ଗ୍ରାମର ବିଜୟଙ୍କୁ ୨୨ ବର୍ଷ ତଳେ ବିବାହ କରଥିଲେ। ବିଜୟ ଚାଷବାସ କରନ୍ତି। ଏଥିସହ ସେ ଅଞ୍ଚଳରେ କ୍ରିକେଟ୍ ଟୁର୍ନାମେଣ୍ଟ ଗୁଡ଼ିକରେ ଧାରାବିବରଣୀ ଦେଇଥାନ୍ତି। ଏହା ଭିତରେ କ୍ରିକେଟ୍‌ ଖେଳୁଥିବା ପତିଗୋବିନ୍ଦପୁର ଗ୍ରାମର ଅମରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଧୀରେ ଧୀରେ ତାହା ବନ୍ଧୁତାରେ ପରିଣତ ହୋଇଥିଲା। ଇତିମଧ୍ୟରେ ବିଜୟଙ୍କ ପତ୍ନୀ ଲକ୍ଷ୍ମୀଙ୍କ ସହ ଅମରର ବନ୍ଧୁତା ନିବିଡ଼ ହେବାକୁ ଲାଗିଲା। ଏହି ବନ୍ଧୁତାରୁ ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା। ଘଟଣା ଜଣାପଡ଼ିବା ପରେ ବିଜୟ ଓ ତାଙ୍କ ପରିବାର ଲୋକେ ଗ୍ରାମକୁ ନ ଆସିବା ପାଇଁ ଅମରକୁ ତାଗିଦ୍‌ କରିଥିଲେ। ଅନ୍ୟପକ୍ଷରେ ଶାଶୂଘର ଲୋକେ ଲକ୍ଷ୍ମୀଙ୍କ ମୋବାଇଲ୍ ଫୋନ୍‌ ମଧ୍ୟ ବନ୍ଦ କରି ଦେଇଥିଲେ। ଯଦ୍ବାରା ଉଭୟଙ୍କ ମିଳାମିଶା ହୋଇ ପାରିଲାନି।

ପ୍ରତିଦିନ ଭୋର୍ ୪ଟାରୁ ଲକ୍ଷ୍ମୀ ନଦୀକୁ ଗାଧୋଇବାକୁ ଯାଉଥିବା ଜାଣି ଅମର ଆଜି ଭୋର୍‌ରୁ ଏକ ଆମ୍ବଗଛ ମୂଳେ ଲୁଚି ରହିଥିଲା। ଲକ୍ଷ୍ମୀ ନଦୀକୁ ଆସୁଥିବା ଦେଖି ଏକ ଧାରୁଆ କାଚ ଖଣ୍ଡରେ ବେକକୁ କାଟି ହତ୍ୟା କରିବା ପରେ ଅମର ସେଠାରୁ ଚମ୍ପଟ୍‌ ମାରିଥିଲା। ସକାଳୁ ଗ୍ରାମର କିଛି ମହିଳା ନଦୀକୁ ଗାଧୋଇବାକୁ ଗଲାବେଳେ ନଦୀ ହୁଡ଼ା ପାର୍ଶ୍ବ ଆମ୍ବ ଗଛମୂଳେ ଲକ୍ଷ୍ମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଲକ୍ଷ୍ମୀଙ୍କ ଶାଶୂଘର ଲୋକେ ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ପରେ ଖାରିଆଗୁଡ଼ା ଫାଣ୍ତି ଓ ଜରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧିତ ଖବର