ଅନୁଗୁଳ : ‘‘ମୁଁ ତାକୁ ଭଲପାଉଛି। ୮ ବର୍ଷ ହେଲା ଆମର ସଂପର୍କ। କେହି କାହାରି ବିନା ବଞ୍ଚିପାରୁବୁନି। ଆଉ ଆଜି ସେ ଆଉ କାହାକୁ ବାହା ହେଇଯିବ ମୁଁ ସହିବି କେମିତି ? ତା’ ବିନା ବଞ୍ଚି ଆଉ ଲାଭ କଣ?’’
ଏହା କେଉଁ ଯାତ୍ରା କି ସିନେମାର ସଂଳାପ ନୁହେଁ। ବରଂ, ଅନୁଗୁଳ ସହର ଉପକଣ୍ଠ ଆଙ୍କୁଲାରେ ଚାଲିଥିବା ଏକ ବିବାହ ସମୟରେ ଜଣେ ଯୁବକଙ୍କ ଗଳାଫଟା ଚିତ୍କାର। ବିବାହ କରୁଥିବା ଯୁବତୀ ଜଣଙ୍କ ତାଙ୍କ ପ୍ରେମିକା ବୋଲି ସେ ଦାବି କରିବା ସହ ବିବାହ ବନ୍ଦ କରିବାକୁ ପାଟିତୁଣ୍ଡ କରିଥିଲେ। ଏଥିରେ ସଫଳ ନ ହେବାରୁ ଏକ ନକଲି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଡରାଇଥିଲେ। ପରେ ପେଟ୍ରୋଲ ଢାଳି ନିଜେ ଆତ୍ମହତ୍ୟା କରିବା ସହ ବିବାହ କରୁଥିବା ଯୁବତୀଙ୍କ ଉପରକୁ ପେଟ୍ରୋଲ ଫିଙ୍ଗିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଛି। ତେବେ ଏଥିନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାପଡ଼ିଛି।
ଅନୁଗୁଳ ଉପକଣ୍ଠ ଆଙ୍କୁଲା ଗ୍ରାମର ଜଣେ ଯୁବକଙ୍କ ସହିତ ବୁଧବାର ସଦର ଥାନା ବଲାସିଙ୍ଗା ଗାଁର ଜଣେ ଯୁବତୀଙ୍କ ସହ ବିବାହ ହେଉଥିଲା। ଆଙ୍କୁଲା ପାଖ ଏକ ମନ୍ଦିର ପାଖରେ ଏହି ବିବାହ ଚାଲିଥିବା ସମୟରେ ମୂଷାପାପୁଲି ଗାଁର ଗଦାଧର ନାଏକ ଓ ତାଙ୍କ ସହଯୋଗୀ ନକୁଳ ନାଏକ ସେଠାରେ ପହଞ୍ଚିଥିଲେ। ବିବାହ କରୁଥିବା ଯୁବତୀ ଜଣଙ୍କୁ ସେ ଭଲ ପାଉଛନ୍ତି ଓ ତାକୁ ହି ବିବାହ କରିବେ ବୋଲି ଗଦାଧର କହିବା ସହ ବିବାହ ବନ୍ଦ କରିବାକୁ ଧମକ ଦେଇଥିଲେ। କିନ୍ତୁ ତାଙ୍କ କଥାକୁ କେହି ଗୁରୁତ୍ବ ଦେଇ ନ ଥିଲେ। ବରଂ, ବିବାହ କାର୍ଯ୍ୟ ଶେଷ ହୋଇଥିଲା। ଏଥିରେ ହତାଶ ହୋଇ ଗଦାଧର ଏକ ନକଲି ବନ୍ଧୁକ ଦେଖାଇ ସେଠାରେ ଆତଙ୍କ ସୃଷ୍ଟି କରିଥିଲେ।
ଏହି ସମୟରେ ସେ ଯୁବତୀ ଜଣଙ୍କୁ ନେଇ ଫେରାର୍ ହେବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଏଥିରେ ଅସଫଳ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବିବାହ କରୁଥିବା ଯୁବତୀଙ୍କ ଉପରକୁ ମଧ୍ୟ ପେଟ୍ରୋଲ ଫିଙ୍ଗିଥିଲେ। ତେବେ ଯୁବକଜଣଙ୍କ ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ଅନ୍ୟମାନେ ତାଙ୍କୁ କାବୁ କରି ନେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଖବର ପାଇ ଅନୁଗୁଳ ଥାନା ପୁଲିସର ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଠାଇ ଆଣିଥିଲା। ସେମାନଙ୍କୁ ଏବେ ଅନୁଗୁଳ ଥାନାରେ ରଖି ପଚରାଉଚୁରା କରାଯାଉଛି। ତେବେ କୌଣସି ପକ୍ଷରୁ ଏଥିନେଇ ବିଧିବଦ୍ଧ ଏତଲା ହୋଇ ନ ଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/20ec7e25-6fa0-4429-8489-67397de6b32f.jpg)