ପ୍ରେମିକାଙ୍କ ଘର ବାଡ଼ିରେ ପ୍ରେମିକଙ୍କ ଝୁଲନ୍ତା ମୃତଦେହ

ଖଇରା: ପ୍ରେମିକାଙ୍କ ଘର ବାଡ଼ିରେ ଥିବା ସଜନା ଗଛରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଖଇରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ପ୍ରେମଜନିତ ମୃତ୍ୟୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପ୍ରେମିକାର ଘର ଲୋକେ ମାରି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରେମିକର ପରିବାର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଇରା ଥାନା ନୟାଖଣ୍ତି ଗ୍ରାମର କୁମ୍ଭାର ସାହିରେ।

ଘଟଣାରୁ ପ୍ରକାଶ ଯେ, ଗୁରୁବାର ସକାଳେ କୁମ୍ଭାର ସାହିର ନିର୍ମଳ ବେହେରାଙ୍କ ଘର ପଛରେ ଥିବା ଏକ ସଜନା ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏ ନେଇ ପୁଲିସକୁ ଖବର ଦେବା ପରେ ଖଇରା ଥାନା ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀ, ୟୁ କେ ବେହେରା ଏବଂ ଅତିରିକ୍ତ ତହସିଲଦାର ସନ୍ଦୀପ ପ୍ରିୟଦର୍ଶନ ଧଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଉକ୍ତ ଯୁବକଙ୍କ ପ୍ୟାଣ୍ଟ ପକେଟରୁ ଏକ ସୁଇସାଇଡ୍‌ ନୋଟ ଓ ମୋବାଇଲ ଫୋନ୍ ଜବତ କରିଥିଲେ। ପରେ ଯୁବକ ଜଣକ ସୋର ଥାନା ଅଧୀନ ବେଲଦା ଗ୍ରାମର କୈଳାସ ବେହେରାଙ୍କ ପୁଅ ଲକ୍ଷ୍ମୀକାନ୍ତ(୨୬) ବୋଲି ଜଣାପଡ଼ିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ମୃତ ଯୁବକଙ୍କ ଦାଦା ରମେଶ ଚନ୍ଦ୍ର ବେହେରା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଲକ୍ଷ୍ମୀକାନ୍ତ ଓ ନିର୍ମଳ ବେହେରାଙ୍କ ଝିଅ ମଧ୍ୟରେ ପ୍ରାୟ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ଏ ନେଇ ନିର୍ମଳ ଝିଅର ବିବାହ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ତେବେ ଗତକାଲି ଲକ୍ଷ୍ମୀକାନ୍ତ ଘରୁ ଅପରାହ୍ନରେ କୁଆଡ଼େ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ଗୁରୁବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ନିର୍ମଳ ବେହେରାଙ୍କ ବାଡ଼ି ସଜନା ଗଛରୁ ଉଦ୍ଧାର ହୋଇଥିବା ଖବର ପାଇଥିବା ସେ କହିଛନ୍ତି। ଲକ୍ଷ୍ମୀକାନ୍ତଙ୍କୁ ନିର୍ମଳ ବେହେରା, ନୀଳାମ୍ବର ବେହେରା, ଚିତ୍ରରେଖା ବେହେରା ଓ ଶଶିକାନ୍ତ ବେହେରା ମିଳିତ ଭାବେ ହତ୍ୟା କରି ଘର ପଛ ସଜନା ଗଛରେ ଟାଙ୍ଗି ଦେଇଥିବା ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ କରିଥିବା ବେଳେ ଲକ୍ଷ୍ମୀକାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ଖଇରା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ କେସ୍ ନଂ ୫୭/୨୨ରେ ଏକ ମାମଲା ରୁଜୁ କରି ଝିଅର ବାପା ନିର୍ମଳ ବେହେରାଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର