ବିପିସି ନିଯୁକ୍ତି ପ୍ରକ୍ରିୟାରେ ଦିବ୍ୟାଙ୍ଗଙ୍କୁ ବାଦ ପ୍ରସଂଗ:ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

କଟକ: ବ୍ଲକ ପ୍ରକଳ୍ପ ସଂଯୋଜକ ପଦବି ପୂରଣ ନେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଚାରାଧୀନ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ଥିବା ସଂରକ୍ଷିତ ସ୍ଥାନରୁ ଗୋଟିଏ ପଦ ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ଏ.କେ.ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତ ରାଉତଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ଓ ପଞ୍ଚାନନ ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ଲକ ପ୍ରକଳ୍ପ ସଂଯୋଜକ ପଦବି ପୂରଣ ନେଇ ମିଶନ ଶକ୍ତି ନିର୍ଦ୍ଦେଶକଙ୍କ ପକ୍ଷରୁ ୨୦୧୮, ମାର୍ଚ୍ଚ ୧୫ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୩୧୪ ପଦବିରୁ ୧୦ଟି ପଦବି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏହି ପଦବି ପାଇଁ ଆଶାୟୀ ଥିବା ଦିବ୍ୟାଙ୍ଗ ତଥା ଏସ୍‌ଇବିସି ବର୍ଗର ଶ୍ରୀକାନ୍ତ ଆବେଦନ କରିଥିଲେ। କିନ୍ତୁ ପ୍ରକାଶିତ ଚୂଡ଼ାନ୍ତ ଚୟନ ତାଲିକାରେ ଆବେଦନକାରୀଙ୍କ ନାଁ ନଥିଲା। ଏହାକୁ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର