ପାଗ ଖରାପ ଯୋଗୁଁ ଉପରାଷ୍ଟ୍ରପତି ଆସିଲେନି
ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପହାର: ରାଜ୍ୟପାଳ
ଓଡ଼ିଶାରେ ଏଲ୍‌ପିଜି ଉପଭୋକ୍ତାଙ୍କ ସଂଖ୍ୟା ୩୩୫% ବଢ଼ିଛି: ଧର୍ମେନ୍ଦ୍ର

Advertisment

ବଲାଙ୍ଗୀର଼ : ପଛୁଆ ଜିଲ୍ଲା କହି କହି ବହୁତ ହୋଇଗଲା। ଏଣିକି ଆଉ ନୁ‌ହେଁ, ଏବେ ପ୍ରଧାନମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ବଲାଙ୍ଗୀର। ବରକାନୀଠାରେ ଅବସ୍ଥାପିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଏ ଅଂଚଳ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବ। ସ୍ଥାନୀୟ ନିଯୁକ୍ତି ସହ ଅଂଚଳରେ ଶିଳ୍ପ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ। ଏ ଅଂଚଳର ଲୋକେ କାମ ପାଇଁ ଆଉ ବାହାରକୁ ଯିବେନି। ଏଠାକାର ଲୋକେ ନିଜେ ରୋଜଗାର ଅନ୍ୟମାନଙ୍କୁ ଦେବେ।

କେନ୍ଦ୍ର ସରକାର ଏ ଦିଗରେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟନୀ ସଭାରେ କହିଛନ୍ତି।

ଆଜି କେନ୍ଦ୍ରସରକାରଙ୍କ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ବରକାନୀଠାରେ ପ୍ରତିଷ୍ଠା ହୋଇଥିବା ଦେଶର ୫୩ନମ୍ବର ବଟଲିଂ ପ୍ଲାଣ୍ଟକୁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାଗ ଖରାପ ଯୋଗୁଁ ସେ ଆସିପାରିନଥିଲେ। ତେଣୁ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ୧୦୩ କୋଟି ଟଙ୍କା ବ୍ୟୟରେ ୧୯ମାସ ମଧ୍ୟରେ ଏହି ପ୍ରକଳ୍ପ କାମସାରି ଉଦ୍‌ଘାଟନ ହୋଇଥିବାରୁ ରାଜ୍ୟପାଳ ବିପିସିଏଲ୍‌କୁ ପ୍ରଶଂସା କରିଥିଲେ। ରାଜ୍ୟପାଳ କହିଥିଲେ, ଏକ ଭାରତ, ଶ୍ରେଷ୍ଠ ଭାରତର ଏହା ପ୍ରଥମ ପଦକ୍ଷେପ। ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଗ୍ରାମୀଣ ମହିଳାଙ୍କ କ୍ଷେତ୍ରରେ ସହାୟକ ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଉପହାର ଅଂଚଳରେ ଅର୍ଥନୈତିକ ବିକାଶ ଘଟାଇବ। ଏଥିପାଇଁ ପଶ୍ଚିମାଞ୍ଚଳବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଥିଲେ।

ବିପିସିଏଲ୍‌ର ପରିଚାଳନା ନିର୍ଦେଶକ ଡି. ରାଜକୁମାରଙ୍କ ସଭାପତିତ୍ୱରେ ବରକାନୀର ପ୍ଲାଣ୍ଟ ସାଇଟରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବ‌େ ରାଜ୍ୟ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଂଚାସୀନ ଥିଲେ। ଶ୍ରୀ ମିଶ୍ର କହିଥିଲେ, ଅତୀତରେ ବଲାଙ୍ଗୀର ଗୋଳାବାରୁଦ କାରଖାନା ପାଇଥିଲା। ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ କିନ୍ତୁ ଏଠାକାର ଲୋକେ ନିରାଶ ହୋଇଥିଲେ। ବଟଲିଂ ପ୍ଲାଣ୍ଟରେ ତାହା ନହେଉ। ସ୍ଥାନୀୟ ନିଯୁକ୍ତିକୁ ଆଗ୍ରାଧିକାର ଦେବା ସହ ଯାହା ଟ୍ରକ୍‌ ଲାଗିବ ସେସବୁ ଏ ଅଂଚଳର ଲୋକଙ୍କ ଲାଗିଲେ ଲୋକେ ରୋଜଗାର ପାଇପାରିବେ ଓ ଏଥିପ୍ରତି କେନ୍ଦ୍ରମନ୍ତ୍ରୀ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମା’ଙ୍କ ଦୁଃଖକୁ ହୃଦୟଙ୍ଗମ କରି ମହିଳାଙ୍କ ଦୁଃଖ ଲାଘବ କରିବା ପାଇଁ ଉଜ୍ବଳା ଯୋଜନାର ଆରମ୍ଭ କରିଥିଲେ। ୨୦୧୪ ସୁଦ୍ଧା ଦେଶରେ ମାତ୍ର ୧୩.୨୦ କୋଟି ଏଲ୍‌ପିଜି ଉପଭୋକ୍ତା ଥିଲେ ଏବଂ ଆଜି ଏହା ୨୭ କୋଟିରୁ ଅଧିକରେ ପହଞ୍ଚିପାରିଛି। ଓଡ଼ିଶାରେ ଉପଭୋକ୍ତା ସଂଖ୍ୟା ୮୦ ଲକ୍ଷରୁ ଅଧିକ ହୋଇଛି। ଅର୍ଥାତ ଓଡ଼ିଶାରେ ୩୩୫.୭୧ ପ୍ରତିଶତ ଏଲ୍‌ପିଜି ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଏହି ନୂତନ ବଟଲିଂ ପ୍ଲାଣ୍ଟ ଦ୍ୱାରା ୧୪ଟି ଜିଲ୍ଲାର ଲୋକେ ଉପକୃତ ହେବେ ଏବଂ କେବଳ ଏ ଅଂଚଳରେ ପ୍ରାୟ ୧୫୦ ରୁ ଅଧିକ ଟ୍ରକ୍ ସିଲିଣ୍ଡର ନେବା ଆଣିବା କାର୍ଯ୍ୟରେ ନିୟୋଜିତ ରହିବେ। ଯଦ୍ୱାରା ଏହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ୫୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ଯାହାକି ଏ ଅଂଚଳରେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। ବୋଲି ସେ କହିଥିଲେ। ସେହିପରି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ବଲାଙ୍ଗୀର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ମେକ୍‌ ଇନ ଓଡ଼ିଶା କାର୍ଯ୍ୟକ୍ରମ ଦୁଇଥର ହୋଇସାରିଥିବା ବେଳେ ଆଗକୁ ଆଉ ଏକ କନ୍‌କ୍ଲେଭ୍‌ ହେବାକୁ ଯାଉଛି। ଓଡ଼ିଶାକୁ ବହୁ ପୁଞ୍ଜିନିବେଶକାରୀ ଆସୁଛନ୍ତି ବୋଲି ସେ କହିଥିଲେ।

ପ୍ରକାଶଯୋଗ୍ୟ ଯେ, ବଲାଙ୍ଗୀରର ବଟଲିଂ ପ୍ଲାଣ୍ଟ ନିର୍ମ‌ାଣ ୨୦୧୮ ମଇ ୨୧ ତାରିଖରେ ଆରମ୍ଭ କରାଯାଇ ମାତ୍ର ୧୯ମାସ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ ହୋଇଛି। ଏଠାରୁ ପଶ୍ଚିମାଞ୍ଚଳର ୧୪ଟି ଜିଲ୍ଲାକୁ ଗ୍ୟାସ୍‌ ବିତରଣ କରାଯିବ। ଓଡ଼ିଶାର ଅନ୍ୟ ଜିଲ୍ଲା ସମେତ ବଲାଙ୍ଗୀର ଜିଲ୍ଲାରେ ଗ୍ୟାସ୍‌ ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ଘଟିଛି। କେବଳ ବଲାଙ୍ଗୀର ଜିଲ୍ଲାରେ ୨୦୧୪ ସୁଦ୍ଧା ଏଲ୍‌ପିଜି ଉପଭୋକ୍ତା ସଂଖ୍ୟା ୦.୪ଲକ୍ଷ ଥିବା ବେଳେ ୨୦୧୯ରେ ଏହା ବୃଦ୍ଧିପାଇ ୩.୬୨ଲକ୍ଷ ହୋଇଛି। ତୈଳ ବିପଣନ କମ୍ପାନିଙ୍କ ମଧ୍ୟରେ କେବଳ ବିପିସିଏଲ୍‌ର ୨୧.୫୯ଲକ୍ଷ ଉପଭୋକ୍ତା ରହିଛନ୍ତି। ଯେଉଁମାନେ କି ବାର୍ଷିକ ୭୮ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି। ଆସନ୍ତା ୨୦୨୦ ସୁଦ୍ଧା ଏହା ୧୦୫ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବଲାଙ୍ଗୀର ପ୍ଲାଣ୍ଟରେ ବାର୍ଷିକ ୪୨ଲକ୍ଷ ସିଲିଣ୍ଡର ଉତ୍ପାଦନ କରାଯିବ। ଏହି ପ୍ଲାଣ୍ଟ ୨୩ ଏକର ଜମିରେ ରହିଥିବା ବେଳେ ୨୪ଟି ବୈଦ୍ୟୁତିକ କାରୋସେଲ, ୧୮୫୩ କିଲୋଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି, ଗ୍ୟାସ୍‌ ଭର୍ତ୍ତି କରାଯାଉଥିବା ସ୍ଥାନ, ସିଲିଣ୍ଡର ରହିବା ସ୍ଥାନ ଥିବା ସୂଚନା ଦିଆଯାଇଛି।