ଅମୀୟରଂଜନ ବାରିକି
କଟକ: ଫିଲ୍ମ ଓ ଟେଲିଭିଜନ୍‌ର ବୈଷୟିକ କ୍ଷେତ୍ରରେ ପୁରୁଷମାନଙ୍କ ପ୍ରାଧାନ୍ୟ ରହି ଆସିଛି। ଖୁବ କମ୍ ମହିଳା ଏ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରି ପାରିଛନ୍ତି। କିନ୍ତୁ ରାଜ୍ୟର ପ୍ରଥମ ତଥା ଏକମାତ୍ର ଫିଲ୍ମ ଶିକ୍ଷାନୁଷ୍ଠାନ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ବିପିଏଫ୍‌ଟିଆଇ) ପ୍ରତିଷ୍ଠା ପରଠାରୁ ରାଜ୍ୟରେ ଏ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହି ଅନୁଷ୍ଠାନର ୧୯୯୫ ବ୍ୟାଚର୍‌ ସିନେମାଟୋଗ୍ରାଫି ଛାତ୍ରୀ ନିରୁପମା ସେଠୀ ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରର ଗ୍ରେଡ୍‌-୨ କ୍ୟାମେରାମ୍ୟାନ୍‌ ଭାବେ ପ୍ରତିଷ୍ଠିତ ହୋଇଛନ୍ତି। ସେହିପରି ୧୯୯୯ ବ୍ୟାଚ୍‌ର ସିନେମାଟୋଗ୍ରାଫି ଛାତ୍ରୀ ଚାନ୍ଦିପୁର ଡିଆର୍‌ଡିଓରେ ବରିଷ୍ଠ ଟେକ୍‌ନିକାଲ୍‌ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି। ୨୦୦୧ ବ୍ୟାଚ୍‌ ସାଉଣ୍ଡ ଆଣ୍ଡ୍‌ ଟିଭି ଇଞ୍ଜିନିୟରିଂର ଛାତ୍ରୀ କଲ୍ୟାଣୀ ରଥ ୨୦୧୮ ମସିହାରେ ଡକ୍ୟୁମେଣ୍ଟାରି ଫିଲ୍ମ ପାଇଁ ଶ୍ରେଷ୍ଠ ପ୍ରଯୋଜକ ଭାବେ ପୁରସ୍କୃତ ହୋଇଥିଲେ। ୨୦୦୪ ବ୍ୟାଚର୍‌ ଫିଲ୍ମ ଆଣ୍ଡ୍‌ ଭିଡିଓ ଏଡିଟିଂ ଛାତ୍ରୀ ଇତିଶ୍ରୀ ଶତପଥୀ କୋଲକାତା ଫିଲ୍ମ ଡିଭିଜନ୍‌ରେ ଏଡିଟର୍‌ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ୨୦୦୩ ସିନେମାଟୋଗ୍ରାଫି ଛାତ୍ରୀ ପ୍ରିୟଦର୍ଶିନୀ କର ଭୁବନେଶ୍ବର ଏଏସ୍‌ଆଇ ଫଟୋଗ୍ରାଫର୍‌ ଭାବେ ଦାୟିତ୍ବ ତୁଲାଉଛନ୍ତି। ୨୦୦୯ ବ୍ୟାଚ୍‌ ସିନେମାଟୋଗ୍ରାଫି ଛାତ୍ରୀ ଶାଶ୍ବତୀ ମହାନ୍ତି ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ଚେନ୍ନାଇ ଶାଖାରେ ଫଟୋଗ୍ରାଫର୍‌ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

୨୦୦୪ ବ୍ୟାଚ୍‌ ଛାତ୍ରୀ ଶୁଚିସ୍ମିତା ଗିରି ନୂଆଦିଲ୍ଲୀ ନ୍ୟାସନାଲ୍‌ ମ୍ୟୁଜିୟମ୍‌ରେ ଫଟୋଗ୍ରାଫର୍‌ ଭାବେ କାର୍ଯ୍ୟରତ ଅଛନ୍ତି। ୨୦୦୩ ବ୍ୟାଚ୍‌ର ଫିଲ୍ମ ଆଣ୍ଡ୍‌ ଭିଡିଓ ଏଡିଟିଂର ଅନ୍ନପୂର୍ଣ୍ଣା ମଲ୍ଲିକ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟରେ ଏକାଡେମିକ୍‌ ଏଡିଟର୍‌ ଭାବେ ଦାୟିତ୍ବ ତୁଲାଉଛନ୍ତି। ସିନେମାଟୋଗ୍ରାଫି ଛାତ୍ରୀ ସଂଘମିତ୍ରା ରାଉତରାୟ ଲୋକସଭା ଟିଭିରେ ଚୁକ୍ତିଭିତ୍ତିକ କ୍ୟାମେରାମ୍ୟାନ୍‌ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ୧୯୯୯ ବ୍ୟାଚ୍‌ ସିନେମାଟୋଗ୍ରାଫି ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଦଳାଇ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରି ଓଡ଼ିଶାର ଯୁବତୀଙ୍କ ପ୍ରେରଣା ପାଲଟିଛନ୍ତି। ୨୦୧୧ ବ୍ୟାଚ୍‌ର ଫିଲ୍ମ ଡିଭିଜନ୍‌ର ପ୍ରୀତିରଶ୍ମି ଦାସ ଫିଲ୍ମ ଡିଭିଜନ୍‌ରେ କାର୍ଯ୍ୟ କରିଛନ୍ତି। ୨୦୦୦ ବ୍ୟାଚ୍‌ ସିନେମାଟୋଗ୍ରାଫି ଛାତ୍ରୀ ଦେବଯାନୀ ସାମନ୍ତରାୟ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଫଟୋଗ୍ରାଫର୍‌ ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୧ ବ୍ୟାଚ୍‌ ସିନେମାଟୋଗ୍ରାଫି ବିଦ୍ୟାର୍ଥୀ ଫଲଗୁ ଶତପଥୀ କ୍ୟାମେରାମ୍ୟାନ୍‌ ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଛନ୍ତି। କିଛିଦିନ ପୂର୍ବେ ତାଙ୍କ ଫିଲ୍ମ ‘ପୁଷ୍କରା’ ଜାତୀୟ ପୁରସ୍କାର ପାଇଥିଲା। 

ସାରା ଦେଶର ମୋଟ୍‌ ୭ଟି ଫିଲ୍ମ ଅନୁଷ୍ଠାନ ଅଛି। କେନ୍ଦ୍ର ସରକାରଙ୍କ ପୁନେ ଓ କୋଲକାତାରେ ଥିବା ଅନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଥିବାବେଳେ ରାଜ୍ୟସ୍ତରୀୟ ଫିଲ୍ମ ଅନୁଷ୍ଠାନ ବେଙ୍ଗାଲୁରୁ, ଚେନ୍ନାଇ, ଆସାମ, ହରିୟାଣା, ଓଡ଼ିଶାରେ ରହିଛି। ୧୯୯୨ ମସିହାରେ ବୋସ୍‌ କଲେଜ ଅଧୀନରେ ବିପିଏଫ୍‌ଟିଆଇ ଆରମ୍ଭ ହୋଇଥିଲା। ୧୯୯୫ ମସିହାରେ ସିନେମାଟୋଗ୍ରାଫି, ସାଉଣ୍ଡ ରେକର୍ଡିଂ ଆଣ୍ଡ୍‌ ସାଉଣ୍ଡ ଡିଜାଇନ୍‌ ଓ ଫିଲ୍ମ ଏଡିଟିଂ ୩ଟି ବିଷୟରେ ପୂର୍ଣ୍ଣକାଳୀନ ଭାବେ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ବିପିଏଫ୍‌ଟିଆଇ)ରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ୨୦୨୧ ମସିହା ପର୍ଯ୍ୟନ୍ତ ୩ ବର୍ଷିୟା ଡିପ୍ଲୋମା ପାଠ୍ୟକ୍ରମ ଥିଲା। ଏହାପରେ ଡିଗ୍ରି ପାଠ୍ୟକ୍ରମ ଆରମ୍ଭ ହେଲା ଯାହା ଭାରତରେ ପ୍ରଥମ। ଏହି ଅନୁଷ୍ଠାନଟି ଟେକ୍‌ନିକାଲ୍‌ ପାଠ୍ୟକ୍ରମ ପାଇଁ ସାରା ଦେଶରେ ଏକମାତ୍ର ଏଆଇସିଟିଇ ଦ୍ବାରା ସ୍ବୀକୃତିପ୍ରାପ୍ତ ସରକାରୀ ଅନୁଷ୍ଠାନ। ଏହା ବିପିୟୁଟି ଦ୍ବାରା ମଧ୍ୟ ଅନୁବନ୍ଧିତ। ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ କ୍ଷେତ୍ରଟି ସାଧାରଣତଃ ପୁରୁଷ ପ୍ରାଧାନ୍ୟ ହୋଇଥାଏ। ବିଶେଷକରି ସିନେମାଟୋଗ୍ରାଫିକୁ ବାଛିଥିବା ବିଦ୍ୟାର୍ଥୀମାନଙ୍କୁ ଦିନରାତି, ଖରାବର୍ଷାରେ କାମ କରିବାକୁ ହୋଇଥାଏ। ତେବେ ଏସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରି ଏହି ଅନୁଷ୍ଠାନର ଶତାଧିକ ଛାତ୍ରୀ ଦେଶର ବିଭନ୍ନ ଅନୁଷ୍ଠାନରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି, ଯାହାଦ୍ବାରା ସେମାନେ ନୂତନ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।