ବିପିୟୁଟିର ଖାମଖିଆଲି ନୀତି : ଖାତା ନେବା ଲାଗି ୫ ଘଣ୍ଟା ହଟହଟା

ସିଇଟି କେନ୍ଦ୍ରରେ କଲେଜ କର୍ତୃପକ୍ଷଙ୍କ ହୋହଲ୍ଲା

ଭୁବନେଶ୍ୱର : ପରୀକ୍ଷା ପରିଚାଳନାକୁ ନେଇ ପୁଣିଥରେ ଚର୍ଚ୍ଚାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)। ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ୨୦୧୭-୧୮ର ଅଡ୍‌ ସେମିଷ୍ଟାର ପରୀକ୍ଷା ହେବାକୁ ଥିବା ବେଳେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କେନ୍ଦ୍ରରେ ଖାତା ପହଞ୍ଚିନି। ଖାତା ନେବା ଲାଗି ପରୀକ୍ଷା କେନ୍ଦ୍ର କର୍ତୃପକ୍ଷଙ୍କୁ ଦିଆଯାଇଥିବା ସମୟ ମଧ୍ୟରେ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)ରେ ଖାତା ପହଞ୍ଚି ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି।

ବିପିୟୁଟି ବିଜ୍ଞପ୍ତି ଅନୁଯାୟୀ ଶୁକ୍ରବାରଠାରୁ ରେଗୁଲାର ଏବଂ ବ୍ୟାକ୍‌ ପେପର୍‌ର ଅଡ୍‌ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ। ଉତ୍ତର ଖାତା ପରୀକ୍ଷା କେନ୍ଦ୍ରକୁ ପଠାଇବା ଲାଗି ଭୁବନେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ୩ଟି କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ସେଠାରୁ ଖାତା ଗ୍ରହଣ କରିବେ। ଭୁବନେଶ୍ୱର ଜୋନ୍‌ ଆସୁଥିବା କଲେଜଗୁଡ଼ିକ ଲାଗି ସିଇଟିରେ ହୋଇଥିବା କେନ୍ଦ୍ରରୁ ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ଖାତା ନେବା ଲାଗି କୁହାଯାଇଥିଲା। ରାଉରକେଲା କେନ୍ଦ୍ରରୁ ଅପରାହ୍ଣ ୫ଟା ଏବଂ ବ୍ରହ୍ମପୁର କେନ୍ଦ୍ରରୁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଖାତା ନେବା ଲାଗି କେନ୍ଦ୍ରର ଅଧ୍ୟକ୍ଷ ତଥା ନିର୍ଦେଶକଙ୍କୁ କୁହାଯାଇଥିଲା। ସେହି ଅନୁଯାୟୀ ଭୁବନେଶ୍ୱର ଜୋନ୍‌ରେ ଥିବା ୯୭ଟି କଲେଜ କର୍ତୃପକ୍ଷ ଅପରାହ୍ଣ ୨ଟାରୁ ସିଇଟିରେ ଡେରା ପକାଇଥିଲେ। କିନ୍ତୁ ଉତ୍ତର ଖାତାର ମିଳି ନଥିଲା। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାତା ନ ପହଞ୍ଚିବାରୁ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ହୋ-ହଲ୍ଲା ବି କରିଥିଲେ। ସନ୍ଧ୍ୟା ୭ଟା ୧୫ରେ ଟ୍ରକ୍‌ରେ ଉତ୍ତର ଖାତା ପହଞ୍ଚିଥିଲା। ଏହାପରେ କଲେଜ ଅଧିକାରୀଙ୍କୁ ଖାତା ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର