ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଦ୍ବାରା ପରିଚାଳିତ ବି.ଟେକ୍ ଓ ଏମ୍.ଏସ୍ସି(ଇଣ୍ଟିଗ୍ରେଟେଡ୍) ପାଠ୍ୟକ୍ରମର ଶେଷ ସେମିଷ୍ଟର୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ www.bputexam.in କିମ୍ବା http://www.bputexam.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ। ଯେଉଁମାନେ ସଫଳତାର ସହ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରି ସର୍ବନିମ୍ନ ମାର୍କ ରଖିଥିବେ, ସେମାନଙ୍କୁ ସଙ୍ଗେ ସଙ୍ଗେ ପ୍ରୋଭିଜ୍ନାଲ ସାର୍ଟିଫିକେଟ୍ ଓ ଗ୍ରେଡ୍ ସିଟ୍ ଅନ୍ଲାଇନ୍ରେ ପ୍ରଦାନ କରାଯିବ।
ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର ସାହୁ କହିଛନ୍ତି ଯେ ଜୁଲାଇ ଓ ଅଗଷ୍ଟ ମାସରେ ବ୍ୟାଚଲର୍-ଇନ୍-ଇଞ୍ଜିନିୟରିଂ, ପ୍ଲାନିଂ, ଆର୍କିଟେକ୍ଚର ଓ ମାଷ୍ଟର ଇନ୍ ସାଇନ୍ସ ଇନ୍ ମ୍ୟାଥମେଟିକାଲ କମ୍ପ୍ୟୁଟିଂ, ଆପ୍ଲାଏଡ୍ କେମେଷ୍ଟ୍ରି ଆଣ୍ଡ୍ ଆପ୍ଲାଏଡ୍ ଫିଜିକ୍ସ ଆଦି ବିଷୟର ପରୀକ୍ଷା ହୋଇଥିଲା। ଯାହାର ଫଳ ପ୍ରକାଶ ପାଇଛି। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓପନ୍ ବୁକ୍ ସିଷ୍ଟମ୍ ଓ ଇନୋଭେଟିଭ୍ ପ୍ରଶ୍ନପତ୍ର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇଥିଲା। ପ୍ରଥମେ ଘରେ ଓ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ତେବେ ପରବର୍ତୀ ସମୟରେ କେବଳ ଘରେ ରହି ଡେକ୍ସଟପ୍, ଲ୍ୟାପ୍ଟପ୍, ଆଣ୍ଡ୍ରଏଡ୍ ମୋବାଇଲ୍ରେ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିଥିଲା। ଏମ୍ବିଏ ଓ ବି.ଫାର୍ମା ପାଠ୍ୟକ୍ରମର ଶେଷ ସେମିଷ୍ଟର୍ ପରୀକ୍ଷା ଜାରି ରହିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଏହି ବିଷୟର ପରୀକ୍ଷା ଶେଷ ହେବା ପରେ ଫଳ ପ୍ରକାଶ ପାଇବ।