ଭୁବନେଶ୍ବର : ଭୁବନେଶ୍ବର ଗଣ୍ଡମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) କ୍ୟାମ୍ପ ଅଫିସରେ କମନ୍ ଫାସିଲିଟିଜ୍ ସୁବିଧା କରିବା ଲାଗି ୨୦୧୪ରେ ନିଷ୍ପତ୍ତି ହୋଇଥିଲା। ସେଠାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ଯ୍ୟକଳାପ ଲାଗି ପ୍ରେକ୍ଷାଳୟ, ମଲ୍ଟି ଆକ୍ଟିଭିଟିଜ୍ ସେଣ୍ଟର, ଇନ୍କ୍ୟୁବେସନ ସେଣ୍ଟର ଆଦି ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। ବିପିୟୁଟି କର୍ତୃପକ୍ଷ ଓ ଇଡ୍କୋ ଅଧିକାରୀମାନେ ଏନେଇ ଆଲୋଚନା କରି ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ୨୦୧୪ ଜୁନ୍ ୨୩ରେ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଥିଲେ। ପରବର୍ତୀ ସମୟରେ କ୍ୟାମ୍ପ ଅଫିସ୍ର ଆଧୁନିକୀକରଣ ଲାଗି ୧୫୯ କୋଟି ଟଙ୍କା ମଞ୍ଜୁର ବି ହୋଇଥିଲା। ତତ୍କାଳୀନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଓ ସଚିବ ନିଷ୍ପତ୍ତିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ ଇଡ୍କୋ ଦ୍ବାରା ପ୍ରସ୍ତୁତ ଡିପିଆରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବା ସହ ୨୦୧୫ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ୫ ବର୍ଷ ବିତିଗଲାଣି। ଏପର୍ଯ୍ୟନ୍ତ କ୍ୟାମ୍ପସ ଅଫିସ୍ରେ ଇଟା ଖଣ୍ଡେ ମଧ୍ୟ ପଡ଼ିଲା ନାହିଁ।
ଦୀର୍ଘ ଦିନର ଏହି ବିଲଡିଂ ବି ମରାମତି କରାଯାଇନି। ପୂର୍ବଭଳି ଜରାଜୀର୍ଣ୍ଣ ଅବସ୍ଥାରେ କ୍ୟାମ୍ପ ଅଫିସ୍ ପଡ଼ି ରହିଛି। ପ୍ରଶ୍ନ ଉଠୁଛି, ଯଦି ୫ବର୍ଷ ଭିତରେ କମନ୍ ଫାସିଲିଟିଜ୍ ବ୍ୟବସ୍ଥା ହୋଇପାରିଲା ନାହିଁ, ତେବେ ମଞ୍ଜୁର ହୋଇଥିବା ୧୫୯ କୋଟି ଟଙ୍କା ଗଲା କୁଆଡ଼େ? ବିପିୟୁଟି କର୍ତ୍ତୃପକ୍ଷ ଇଡ୍କୋକୁ ଅର୍ଥ ଦେଇଛନ୍ତି ତ? ନା ଇଡ୍କୋ କର୍ତୃପକ୍ଷ ଟଙ୍କା ନେଇ ବସି ପଡ଼ିଲେ?
୨୦୧୮ରେ କ୍ୟାମ୍ପ ଅଫିସ୍ର ପୁନରୁଦ୍ଧାର ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଥିଲା। କୋମାରେ ଥିବା ଏହି କ୍ୟାମ୍ପ ଅଫିସ୍ରେ ମାନବ ସମ୍ବଳ ବିକାଶ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ କେନ୍ଦ୍ର ମାଧ୍ୟମରେ ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ଦକ୍ଷତା ବିକାଶ ତଥା ତାଲିମ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା। ୨୦୧୮ ସେପ୍ଟେମ୍ବର ୫ ତାରିଖ ତଥା ଗୁରୁଦିବସ ଅବସରରେ ଏହାକୁ ଉଦ୍ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏନେଇ ଏକ ଶିକ୍ଷା କ୍ୟାଲେଣ୍ତର ପ୍ରସ୍ତୁତ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ଏବେ କ୍ୟାମ୍ପ ଅଫିସ୍କୁ ବିପିୟୁଟିର କୌଣସି ଅଧିକାରୀ ଆସୁନାହାନ୍ତି। କେବଳ ଓଜେଇଇ ସେଲ୍ ଏହି କ୍ୟାମ୍ପସରେ ଚାଲିଛି। ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେଉଥିବା କାଉନସେଲିଂ ସମୟରେ ଏଠାରେ ପିଲାଙ୍କ ଭିଡ଼ ଜମୁଛି, ନ ହେଲେ କ୍ୟାମ୍ପ ଅଫିସ୍ କୋମା। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ କ୍ୟାମ୍ପ ଅଫିସ୍ ସମ୍ପର୍କରେ ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପାଖରେ କୌଣସି ଖବର ନାହିଁ। କମନ୍ ଫାସିଲିଟିଜ୍ ବ୍ୟବସ୍ଥା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଏବିଷୟରେ କିଛି ବି ଜାଣିନି। ସେତେବେଳେ କ’ଣ ନିଷ୍ପତ୍ତି ହୋଇଥିଲା, କହିପାରିବି ନାହିଁ। ଆପଣଙ୍କଠାରୁ ଏବେ ଶୁଣୁଛି। ଏ ସମ୍ପର୍କରେ ଆଲୋଚନା କରିବା ପରେ କିଛି କହିପାରିବି।
ଓଡ଼ିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି କହିଛନ୍ତି ଯେ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସବୁବେଳେ ପ୍ରତାରଣା କରାଯାଉଛି। ନିଯୁକ୍ତି ମେଳା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଗଲା। ଏବେ ସେହି ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି କମନ୍ ଫାସିଲିଟିଜ୍ ବ୍ୟବସ୍ଥା କରିବାକୁ କହି ୧୫୯ କୋଟି ଟଙ୍କା ଗାଏବ କରିଦେଇଛନ୍ତି। ବୈଷୟିକ ଶିକ୍ଷା ସଚିବ, ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବଙ୍କୁ ବାରମ୍ବାର ପତ୍ର ଲେଖିଲେ ମଧ୍ୟ ଉତ୍ତର ମିଳୁନି। ସେମାନଙ୍କ ନିରବତା ମହାଘୋଟାଲାର ସନ୍ଦେହ ସୃଷ୍ଟି କରୁଛି। ମଙ୍ଗଳବାର ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ ନାୟକଙ୍କୁ ଭେଟି ଏନେଇ ଜଣାଇଥିଲୁ। ବିଭାଗୀୟ ସଚିବ ସଞ୍ଜୟ ସିଂଙ୍କୁ ବି କହିଥିଲୁ। ତୁରନ୍ତ ପଦକ୍ଷେପ ନିଆନଗଲେ ମୁଖ୍ୟମନ୍ତ୍ରୀ ଓ କୁଳାଧିପତିଙ୍କୁ ଭେଟିବୁ। ରାଜରାସ୍ତାକୁ ବି ଓହ୍ଲାଇବାକୁ ପଛାଇବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।