ସମସ୍ୟା ଘେରରେ ବିପିୟୁଟି : କୋମାରେ ଭୁବନେଶ୍ୱର କ୍ୟାମ୍ପ ଅଫିସ୍‌

ଭୁବନେଶ୍ୱର : ସମସ୍ୟା ଘେରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)। ପ୍ରଶାସନିକ ବ୍ୟବସ୍ଥାଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ଲାଗିରହିଛି ସମସ୍ୟା। ସମାଧାନ ଲାଗି ବାରମ୍ବାର ପ୍ରୟାସ ହେଉଥିଲେ ମଧ୍ୟ ତାହା ଆଗେଇ ପାରୁନି। ୩ ବର୍ଷ ହେଲା ଭୁବନେଶ୍ୱରସ୍ଥିତ କ୍ୟାମ୍ପ ଅଫିସ୍‌ କୋମାରେ ପଡ଼ିରହିଛି। ସେଠାକୁ ବିପିୟୁଟିର କୌଣସି ଅଧିକାରୀ ଆସୁନାହାନ୍ତି କି କିଛି କାର୍ଯ୍ୟକଳାପ ହେଉନି। ଏହା ଅଧୀନରେ ଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକୁ ନେଇ କରାଯାଉଥିବା ଅନ୍ତଃ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ମଧ୍ୟ ବନ୍ଦ ହୋଇଯାଇଛି। ଆଜି ପର୍ଯ୍ୟନ୍ତ ବିପିୟୁଟିରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ହୋଇପାରି ନାହିଁ। ଶିକ୍ଷକମାନଙ୍କ ପାଇଁ ମଧ୍ୟ ତାଲିମ ବ୍ୟବସ୍ଥା ହୋଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

କୋମାରେ ଥିବା ବିପିୟୁଟି କ୍ୟାମ୍ପସ ଅଫିସ୍‌ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅଧିକାରୀ ଆସୁ ନାହାନ୍ତି। କୌଣସି କାର୍ଯ୍ୟ ବି ହେଉନି। ତାହାକୁ ଦୃଷ୍ଟିରେ ରଖି ଏବେ ଏହି ଅଫିସ୍‌ର ପୁର୍ନରୁଦ୍ଧାର ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। କୋମାରେ ଥିବା ଏହି କ୍ୟାମ୍ପ ଅଫିସ୍‌ରେ ମାନବ ସମ୍ବଳ ବିକାଶ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ ପ୍ରତିଷ୍ଠା ହେବାକୁ ଥିବା ମାନବ ସମ୍ବଳ ବିକାଶ କେନ୍ଦ୍ରରେ ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଦକ୍ଷତା ବିକାଶ ତଥା ତାଲିମ କାର୍ଯ୍ୟକ୍ରମ ହେବ। ୨୦୧୮ ସେପ୍ଟେମ୍ବର ୫ ତାରିଖ ତଥା ଗୁରୁଦିବସ ଅବସରରେ ଏହାକୁ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଷ ସାରା ନିୟମିତ ବ୍ୟବଧାନରେ ଅଧ୍ୟାପକଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହେବା ସହ ତାଲିମ କାର୍ଯ୍ୟକ୍ରମ ନେଇ ଏକ କ୍ୟାଲେଣ୍ଡର ପ୍ରସ୍ତୁତ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଓପେକା ସହାୟତାରେ ବିପିୟୁଟି ପକ୍ଷରୁ ଆୟୋଜିତ ହେଉଥିବା ଅନ୍ତଃ କଲେଜ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କିଛି ବର୍ଷ ହେଲା ବନ୍ଦ ହୋଇଯାଇଛି। ଅର୍ଥ ଅଭାବରୁ ତାହାକୁ ବନ୍ଦ କରି ଦିଆଯାଇଛି। ଏନେଇ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଆଉ ଆଗେଇ ପାରୁନି ପ୍ରତିଯୋଗିତା। ଯେଉଁଠି ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନ୍ତଃ କଲେଜ ପ୍ରତିଯୋଗିତା ହେଉଛି ସେତେବେଳେ ବିପିୟୁଟି ଅଧୀନ ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ଦକ୍ଷତା ବୃଦ୍ଧି ହୋଇପାରୁ ନାହିଁ। ଓପେକା ପକ୍ଷରୁ ଏନେଇ ଦାବି ଉପସ୍ଥାପନ କରାଯିବା ପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ରାଜ୍ୟରେ ଥିବା ଅନ୍ୟାନ୍ୟ ସରକାରୀ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦର ବାଏ-ଲ’କୁ ଅନୁଧ୍ୟାନ କରାଯିବା ପରେ ଆସନ୍ତା ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟ ବୈଠକରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ଏପର୍ଯ୍ୟନ୍ତ ବିପିୟୁଟିରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ସି-ଡାକ୍‌ ସହାୟତାରେ ଭୁବନେଶ୍ୱରସ୍ଥିତ ସିଇଟି, ଆଇଜିଆଇଟି ସାରଙ୍ଗ ଓ ବ୍ରହ୍ମପୁରସ୍ଥିତ ପିଏମ୍‌ଇସିରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇଛି। ହେଲେ ବିଶ୍ୱବିଦ୍ୟାଳୟରେ ତାହା ହୋଇପାରି ନାହିଁ। ଯେଉଁଥିପାଇଁ ଗବେଷଣାରତ ଛାତ୍ରଛାତ୍ରୀ ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ବାରମ୍ବାର ଦାବି ହେବା ପରେ ଏବେ ବିପିୟୁଟି କର୍ତୃପକ୍ଷ କହିଛନ୍ତି ଯେ ଶିଳ୍ପ ଓ ବଜାର ସୁବିଧାକୁ ଦୃଷ୍ଟିରେ ରଖି ନିଜସ୍ୱ କ୍ୟାମ୍ପସରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର