ସରକାରଙ୍କ ନିଷ୍ପତ୍ତି ମାନୁନି ବିପିୟୁଟି

ଅଫ୍‌ଲାଇନ୍‌ରେ ପାଠପଢ଼ା, ଅନ୍‌ଲାଇନ୍‌ ପରୀକ୍ଷା, ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାକୁ ପ୍ରୋତ୍ସାହନ

ଭୁବନେଶ୍ବର : କରୋନା ସଂକ୍ରମଣ କମିଲାଣି। ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ସ୍ବାଭାବିକ ହେଲାଣି। ପିଲାମାନେ ଶିକ୍ଷାନୁଷ୍ଠାନ ଆସିବା ସହ କ୍ଲାସରୁମ୍‌ରେ ଶିକ୍ଷା ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଗତ ୩ ତାରିଖରେ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇ ପରୀକ୍ଷା ପରିଚାଳନା ସଂକ୍ରାନ୍ତ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଜାନୁଆରି ୧୦ ପୂର୍ବରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା କରାଇବେ। ମାତ୍ର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) କର୍ତୃପକ୍ଷ ସରକାରଙ୍କ ନିୟମାବଳୀକୁ ମୋଡ଼ି ମକଚି ଦେଇ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ବିଜ୍ଞପ୍ତି ଜା‌ରି କରିଛନ୍ତି। ବିପିୟୁଟିର ହଠାତ୍‌ ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ବି ଆଶ୍ଚର୍ଯ୍ୟପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି।

ବିପିୟୁଟି ପକ୍ଷରୁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସମସ୍ତ କଲେଜର ଅଡ୍‌ (ଅଯୁଗ୍ମ) ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହେବ। ୨୦୨୧-୨୨ ଶିକ୍ଷାବର୍ଷର ବି.ଟେକ୍‌, ବି.ଫାର୍ମା, ବି.ପ୍ଲାନ୍‌ ପାଠ୍ୟକ୍ରମର ୭ମ ଓ ବି.ଆର୍କିଟେକ୍‌, ଆଇ-ଏମ୍‌ବିଏ, ଆଇ-ଏମ୍‌ଏସ୍‌ସି ପାଠ୍ୟକ୍ରମର ରେଗୁଲାର ଓ ବ୍ୟାକ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ। କଲେଜ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଫି’, ରି-ଆଡମିସନ ଫି’ ବାବଦରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ବିପିୟୁଟିର ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନିର୍ଦେଶାବଳୀଠାରୁ ସମ୍ପୂର୍ଣ୍ଣ ଅଲଗା। କାରଣ ଜାନୁଆରି ୧୦ ତାରିଖ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୧୭ରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଫ୍‌ଲାଇନ୍‌ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ୨୦୨୧-୨୨ ଶିକ୍ଷାବର୍ଷର ରେଗୁଲାର ଓ ବ୍ୟାକ୍‌ ଛାତ୍ରଛାତ୍ରୀ ଅଡ୍‌ ସେମିଷ୍ଟର ପରୀକ୍ଷା କୋଭିଡ୍‌ ନିୟମ ଅନୁଯାୟୀ ଅଫ୍‌ଲାଇନ୍‌ରେ କରାଯିବ। ତେଣୁ ଏଦିଗରେ ପଦକ୍ଷେପ ନେବା ସହ ଆଗକୁ ଥିବା ସେମିଷ୍ଟର ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମସ୍ତ କଲେଜ କର୍ତୃପକ୍ଷଙ୍କୁ କୁହାଯାଇଥିଲା। ଜାନୁଆରି ୧୦ ପୂର୍ବରୁ ବିପିୟୁଟି କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ବେଳେ ଏବେ କିଭଳି ଏସ୍‌ଆରସି ଓ ବୈଷୟିକ ଶିକ୍ଷା ବିଭାଗର ବିଜ୍ଞପ୍ତିକୁ ନ ମାନି ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ସ୍ଥିର କଲେ ତାହା ପ୍ରଶ୍ନବାଚ୍ଚୀ ସୃଷ୍ଟି କରିଛି।

ବିଭିନ୍ନ କଲେଜ କର୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ବିପିୟୁଟି କର୍ତୃପକ୍ଷ ଜାଣିଶୁଣି ଏଭଳି କରୁଛନ୍ତି। ଏହି ନିଷ୍ପତ୍ତି ପଛରେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ହାତ ରହିଛି। ଅନ୍‌ଲାଇନ୍‌ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାକୁ ପ୍ରୋତ୍ସାହିତ କରିବାକୁ ଏଭଳି ଯୋଜନା ହୋଇଛି। ଏବେ ସବୁ କିଛି ସ୍ବାଭାବିକ ଥିବା ବେଳେ ଅନ୍‌ଲାଇନ୍‌ ପରୀକ୍ଷା କରାଯିବାର କାରଣ କ’ଣ? ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଆର୍କିଟେକ୍‌ ପରି ଗୁରୁତ୍ବପୂର୍ଣ୍ଣ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପରୀକ୍ଷା କରାଗଲେ ସେମାନଙ୍କ ବିକାଶ କିଭଳି ହେବ?

ବିଶ୍ବବିଦ୍ୟାଳୟ ପରୀକ୍ଷା ନିର୍ଦେଶକ ଦୀପକ ସାହୁଙ୍କ କହିବାନୁଯାୟୀ ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟ ନିଷ୍ପତ୍ତି ଅନୁଯାୟୀ ପରୀକ୍ଷା ମୋଡ୍‌ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର