ରାଉରକେଲା: ସ୍ମାର୍ଟସିଟି ରାଉରକେଲାରୁ ଦୈନିକ ପାଖାପାଖି ୧୨୫/୧୩୫ ଟନ୍‌ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ଏଥିମଧ୍ୟରୁ ପାଖାପାଖି ୭୫/୮୦ ଟନ୍‌ କଞ୍ଚା ଓ ୫୦/୫୫ ଟନ୍‌ ଶୁଖିଲା ବର୍ଜ୍ୟ ଅନ୍ତର୍ଭୁକ୍ତ। ତେବେ ଏଥିମଧ୍ୟରୁ କେବଳ ୪୦/୫୦ ଟନ୍‌ ହିଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌(ଏମ୍‌ସିସି)ରେ ପ୍ରକ୍ରିୟାକରଣ ହେଉଛି। ଅବଶିଷ୍ଟ ୭୦/୮୦ ଟନ୍‌ ଖୋଲାରେ ଡମ୍ପିଂ କରାଯାଉଛି। ବିଶ୍ବର ସର୍ବବୃହତ ସିଟ୍‌ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ନିକଟରେ ବର୍ଜ୍ୟକୁ ଖୋଲାରେ ଡମ୍ପିଂ କରାଯାଉଛି। ଫଳରେ ଅଞ୍ଚଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟିହେବା ସହ ସ୍ମାର୍ଟସିଟି ସ୍ବଚ୍ଛ ସହର ମାନ୍ୟତା ହରାଇବାରେ ଲାଗିଛି।

Advertisment

ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ସହରରେ ୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ସ୍ଥାପନ କରାଯାଇଥିଲା। ବିପିୟୁଟିରେ ଦୁଇଟି ଏମ୍‌ସିସି ସ୍ଥାପନ କରାଯାଇଥିବାବେଳେ ବାସନ୍ତୀକଲୋନି ବରଫ ଫ୍ୟାକ୍ଟ୍ରି, ମହତାବ ରୋଡ୍‌, ତରକେରା, ବାଲୁଘାଟ, ବିର୍ସା ଛକ ଓ ଫର୍ଟିଲାଇଜରଠ‌ାରେ ଗୋଟିଏ ଲେଖାଏଁ ସ୍ଥାପିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା, ପୃଥକ୍‌ ଭାବେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ଏହି କେନ୍ଦ୍ରଗୁଡ଼ିକ ପ୍ରାଥମିକ ଡମ୍ପିଂ ପଏଣ୍ଟ ଭାବେ କାର୍ଯ୍ୟ କରିବେ। ଓଦା ଅଳିଆଆବର୍ଜନାକୁ ଖତରେ ପ୍ରକ୍ରିୟାକରଣ କରାଯାଉଥିବାବେଳେ ପ୍ଲାଷ୍ଟିକ୍‌ ଓ ଅନ୍ୟାନ୍ୟ ବର୍ଜ୍ୟକୁ ସିମେଣ୍ଟ ଉତ୍ପାଦନକାରୀଙ୍କୁ ଯୋଗାଇ ଦିଆଯିବ। ଏହି କେନ୍ଦ୍ରଗୁଡ଼ିକରେ କିଛିମାତ୍ରାରେ ଓଦାବର୍ଜ୍ୟକୁ ଖତରେ ପରିଣତ କରାଯାଉଛି; କିନ୍ତୁ ଶତପ୍ରତିଶତ ସମ୍ଭବ ହେଉନି। ଫଳରେ ସହରରୁ ଦୈନିକ ଯେତିକି ଅଳିଆଆବର୍ଜନା ନିର୍ଗତ ହେଉଛି; ତା’ର ଅଧାରୁ ଅଧିକ ଖୋଲାରେ ଡମ୍ପିଂ କରାଯାଉଛି। ଉଲ୍ଲେଖଯୋଗ୍ୟ, ସହରର ଦୈନିକ ଆବର୍ଜନା ପରିମାଣକୁ ଦୃଷ୍ଟିରେ ରଖି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ୍‌ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ରାଉରକେଲା ଇସ୍ପାତ କାରଖାନା ସହ ମିଳିତଭାବେ ପ୍ଲାଣ୍ଟ୍‌ ସ୍ଥାପନ ପାଇଁ ଏକାଧିକ ଉଚ୍ଚସ୍ତରୀୟ ବୈଠକ ବି ଆୟୋଜିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଆର୍‌ଏସ୍‌ପି ଓହରିଯାଇଥିଲା। ଶେଷରେ ଆର୍‌ଏମ୍‌ସି ମଧ୍ୟ ପ୍ରକଳ୍ପ ପାଇଁ ଅନିଚ୍ଛା ପ୍ରକାଶ କରିଥିଲା। ଶେ‌ଷରେ ଗତ ୨୦୨୦ ମସିହାରେ ପର୍ଯ୍ୟାୟକ୍ରମେ ଏମ୍‌ସିସି ସ୍ଥାପନ କରାଯାଇଥିଲା।