ବିପିୟୁଟି ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଭୁବନେଶ୍ବର : ବିପିୟୁଟି ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ‌ହେବ। ଏନେଇ ଗତ ୨୭ ତାରିଖରେ ବିପିୟୁଟି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ସମୟରେ ଯଦି ପରୀକ୍ଷା କରାଯାଏ ତେବେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ସେମାନେ ପରୀକ୍ଷାରେ ଭଲ କରିପାରିବେ ନାହିଁ। ତେଣୁ ଦେଶର ଅନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନ ଭଳି ବିପିୟୁଟି ପୂର୍ବ ସେମିଷ୍ଟର ଓ ଇଣ୍ଟରନାଲ୍‌ ମାର୍କ ଆଧାରରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଏହି ଅନ୍‌ଲାଇନ ପରୀକ୍ଷା ତୃତୀୟ ପକ୍ଷ କରିବ। ତେଲେଙ୍ଗାନାର ଏକ କମ୍ପାନିକୁ ପରୀକ୍ଷାର ପରିଚାଳନା ଦାୟିତ୍ବ ଦିଆଯାଇଛି, ଯାହା ନାଁରେ ପରୀକ୍ଷା, ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶନକୁ ନେଇ ଅନେକ ଅଭିଯୋଗ ରହିଛି। ବର୍ତମାନ ସମୟରେ ରାଜ୍ୟ ସରକାର ଏଭଳି ଏକ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ପୂର୍ବରୁ ସମସ୍ତ ସେମିଷ୍ଟରର ସବଜେକ୍‌ଟିଭ୍‌ ପରୀକ୍ଷା ହେଉଥିବା ବେଳେ ଏବେ ଅବଜେକ୍‌ଟିଭ ବା ଏମସିକ୍ୟୁ ପଦ୍ଧତିରେ ପରୀକ୍ଷା କରାଇବେ। ଏଥିପାଇଁ ଆଉ ମାତ୍ର ଏକ ସପ୍ତାହ ରହିଥିବାରୁ ପ୍ରସ୍ତୁତ କରିବା ସମ୍ଭବପର ନୁହେଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଏହି ପରୀକ୍ଷା ପାଇଁ ଇଣ୍ଟରନେଟ୍‌ ବାଧ୍ୟତାମୂଳକ। ତେବେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ଏହି ସୁବିଧା ଉପଲବ୍ଧ ନାହିଁ। ୧ ଏମ୍‌ବିପିଏସ୍‌ ସ୍ପିଡ ନେଟ୍‌ ଉପଲବ୍ଧ ନେଇ ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଏହି ସ୍ପିଡ କୌଣସି କମ୍ପାନି ଦେଉ ନାହାନ୍ତି। ଅନ୍ୟ ସମସ୍ତ ପରୀକ୍ଷା ଫଳ ପିକ୍ୟୁ ମେଥଡ୍‌ରେ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବିପିୟୁଟି କାହିଁକି ଉଚିତ ପଦକ୍ଷେପ ନେଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ବିଜ୍ଞପ୍ତି ଅନୁଯାୟୀ ଜୁଲାଇ ୯ରୁ ପରୀକ୍ଷା ଆରମ୍ଭ କରାଯିବ। ପର୍ଯ୍ୟାୟକ୍ରମେ ଏମ୍‌ବିଏ, ବି.ଟେକ୍‌, ବି.ଫାର୍ମା ଆଦି ବିଷୟର ପରୀକ୍ଷା ଜୁଲାଇ ୨୯ ସୁଦ୍ଧା ଶେଷ ହେବ। ‌ତାରିଖରେ କୌଣସି ପରିବର୍ତନ କରାଯିବ ନାହିଁ। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ତାହାର ଅନୁଧ୍ୟାନ ହେବ।

ସମ୍ବନ୍ଧିତ ଖବର