ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା, କଲେଜ ଖୋଲିବା ପରେ ଅଫ୍‌ଲାଇନ୍‌ରେ କରାଯିବ

ଭୁବନେଶ୍ବର : କୃଷି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗ ଦ୍ବାରା ପରିଚାଳିତ କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକର ପରୀକ୍ଷା ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଓୟୁଏଟି ଓ ଏହା ଅଧୀନସ୍ଥ କଲେଜଗୁଡ଼ିକର ପରୀକ୍ଷା ବାତିଲ୍‌ କରିବାକୁ ଛାତ୍ରଛାତ୍ରୀ ଟୁଇଟ୍‌ ମାଧ୍ୟମରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ବିପିୟୁଟି ତାର ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ଇଞ୍ଜିନିୟରିଂ କଲେଜଗୁଡ଼ିକର ୮ମ ସେମିଷ୍ଟର ପରୀକ୍ଷା କରାଯିବ। ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେନି, ସେମାନଙ୍କ ଲାଗି ବିକଳ୍ପ ବ୍ୟବସ୍ଥା ହୋଇଛି। କରୋନା କମିବା ଓ କଲେଜ ଖୋଲିବା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଏଥିରେ ଭାଗନେଇପାରିବେ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ବି ପରୀକ୍ଷା କେନ୍ଦ୍ର କରାଯିବ।

ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ (ଏଓବିଏସ୍ଓ) ପକ୍ଷରୁ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଉପଦେଷ୍ଟା ତଥା ଯୁବ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଧୃତିରଞ୍ଜନ ମାର୍ଥା, ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ଯୁବ ବିଜେଡି ସଂଘଠନ ସମ୍ପାଦକ ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ସଙ୍ଗଠନର ମୁଖ୍ୟ ସଙ୍ଗଠକ ପବନ କୁମାର ସ୍ବାଇଁ, ଅନନ୍ତ ନାରାୟଣ ଜେନା, ସଭାପତି ଅଜୟ କୁମାର, କାର୍ଯ୍ୟକାରୀ ସଭାପତି ଆଚାର୍ଯ୍ୟ ରକି ପ୍ରିୟଦର୍ଶନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର