ରାଉରକେଲା : ଅନୁସୂଚିତ ଜାତି/ଜନଜାତି ଅତ୍ୟାଚାର ପ୍ରତିରୋଧ ଆଇନର ସଂଶୋଧନ କରି ସୁପି୍ରମକୋର୍ଟ ଦେଇଥିବା ରାୟ ବିରୋଧରେ ବିଭିନ୍ନ ଦଳିତ ସଙ୍ଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’ ଡାକରା ଦିଆଯାଇଥିଲା। ଏଥିଯୋଗୁଁ ଅପରାହ୍ନ ୪ଟା ଯାଏ ବସ୍‌ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ସମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଟ୍ରେନ୍‌ ଚଳାଚଳରେ ଅନ୍ୟ କୌଣସି ବାଧା ଉପୁଜି ନାହିଁ। ସେପଟେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନ ପାରିବାରୁ ବିଜୁୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) କର୍ତ୍ତୃପକ୍ଷ ରାଜ୍ୟର ୧୩୫ କେନ୍ଦ୍ରରେ ହେବାକୁ ଥିବା ୩୨ଟି ବିଷୟର ପରୀକ୍ଷାକୁ ବାତିଲ କରିଛନ୍ତି। କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ବାତିଲ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଶେଷ କରାଯିବ। ଗତ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବି.ଟେକ୍‌, ବି. ଆର୍କିଟେକ୍‌ଚରର ୬ଷ୍ଟ ମେସିଷ୍ଟାର, ଏମ୍‌ସିଏ, ଏମ୍‌ବିଏ, ଏମ୍‌ଆର୍‌, ଏମ୍‌. ପ୍ଲାନ୍‌ ଆଦିର ଚତୁର୍ଥ ସେମିଷ୍ଟାର, ଏମ୍‌ଏସ୍‌ସିର ଦଶମ ସେମିଷ୍ଟାର ପରୀକ୍ଷା ପାଇଁ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୭ ମଇରୁ ଆରମ୍ଭ ହୋଇ ୨୫ ମଇରେ ଶେଷ ହେବ। ଜୁନ୍‌ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁଳପତି ଶ୍ରୀ ତ୍ର୍ରିପାଠୀ କହିଛନ୍ତି।