୧୩୭ କେନ୍ଦ୍ରରେ ବିପିୟୁଟି ପରୀକ୍ଷା, ମକ୍‌ ଟେଷ୍ଟ ଦେଇପାରି‌ବେ ପରୀକ୍ଷାର୍ଥୀ

କୌଣସି ନେଗେଟିଭ୍‌ ମାର୍କିଂ ରହିବ ନାହିଁ

ଭୁବନେଶ୍ବର: ଜୁଲାଇ ୯ରୁ ବିପିୟୁଟି ଅନ୍‌ଲାଇନ୍‌ ପରୀକ୍ଷା। ୨୦ ଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷାରେ ବି.ଟେକ୍‌, ଏମ୍‌ବିଏ, ବି.ଫାର୍ମା, ବି.ପ୍ଲାନ୍‌, ବି. ଆର୍କିଟେକ୍‌, ଏମ୍‌.ଏସ୍‌ସି(ଇଣ୍ଟିଗ୍ରେଟେଡ୍‌) ଓ ଏମ୍‌ବିଏ(ପିଟି) ପାଠ୍ୟକ୍ରମର ଶେଷ ବର୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେ‌ବେ। ପ୍ରଥମ ଥର ପାଇଁ ରାଜ୍ୟର କୌଣସି ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବିପିୟୁଟି ଏହି ପରୀକ୍ଷା କରିବାକୁ ଯାଉଛି। ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେଇପାରିବେ। ଏଥିସହ ରାଜ୍ୟର ୧୩୭ଟି ଶିକ୍ଷାନୁଷ୍ଠାନରେ ପରୀକ୍ଷା କେନ୍ଦ୍ର ହୋଇଛି। ଯେଉଁଥିରେ ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜ ରହିଛି। ୧୩୭ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ କେବଳ ଭୁବନେଶ୍ବରରେ ୫୯ଟି କେନ୍ଦ୍ର ହୋଇଥିବା ବେଳେ କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁରରେ ଏକାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ଗଜପତି, କନ୍ଧମାଳ, କୋରାପୁଟ ପରି ଉପାନ୍ତ ଜିଲ୍ଲାରେ ବି କେନ୍ଦ୍ର ହୋଇଛି। ଛାତ୍ରଛାତ୍ରୀ ସେଠାକୁ ଆସି ମଧ୍ୟ ପରୀକ୍ଷା ଦେଇପାରିବେ।

ମିଳିଥିବା ସୂଚନା ଅନୁଯାୟୀ ବି‌‌.ଟେକ୍‌ ପାଠ୍ୟକ୍ରମରେ ସର୍ବାଧିକ ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ ରଖି ୧୦୦ ମାର୍କର ପରୀକ୍ଷାରେ ୧୫୦ଟି ୪ଟି ବିକଳ୍ପ ଉତ୍ତରଭିତ୍ତିକ ପ୍ରଶ୍ନ ରହିବ। ଏଥିରେ କୌଣସି ନେଗେଟିଭ୍‌ ମାର୍କିଂ ରହିବ ନାହିଁ। ଏହି ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମକ୍‌ ଟେଷ୍ଟର ମଧ୍ୟ ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀ ଏହି ମକ୍‌ ଟେଷ୍ଟରେ ଭାଗନେଇ ପରୀକ୍ଷା ପଦ୍ଧତି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ପରୀକ୍ଷା ଦେଉଥିବା ସମୟରେ କୌଣସି ଅସୁବିଧା ହେଲେ ବିପିୟୁଟି ହେଲ୍ପ ଡେସ୍କ୍‌ର ସହାୟତା ନେଇପାରିବେ। ଅନ୍‌ଲାଇନ୍‌ ପରୀକ୍ଷା ଦେଉଥିବା ସମୟରେ ଯଦି ଜଣେ ପରୀକ୍ଷାର୍ଥୀଙ୍କର କୌଣସି କାରଣରୁ ଲିଙ୍କ୍‌ କଟିଯାଏ ତେବେ ପରୀକ୍ଷାର୍ଥୀ ଜଣକ ପୁନଃ ଲଗ୍‌ ଇନ୍‌ କରି ପରୀକ୍ଷା ଦେଇପାରିବେ। ଏଥିରେ ତାଙ୍କର ପୂର୍ବ ଲଗ୍‌ ଇନ୍‌ ସରିଥିବା ପ୍ରଶ୍ନଗୁଡ଼ିକୁ ଆଉଥରେ ଦେବାକୁ ପଡ଼ିବ ନାହିଁ। ତାଙ୍କର ପୂର୍ବ ଉତ୍ତରଗୁଡ଼ିକ ୱେବସାଇଟ୍‌ରେ ଅଟୋସେୟାର ହୋଇଯିବ। ଏହି ଅନ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀ ନିଜ ଅଞ୍ଚଳରେ ଥିବା ରେଜିଷ୍ଟ୍ରିଭୁକ୍ତ ଅନ୍‌ଲାଇନ୍‌ ଟେଷ୍ଟ ସେଣ୍ଟରରେ ପରୀକ୍ଷା ଦେଇପାରିବେ।

ଓମ୍‌କା(ଓଡ଼ିଶା ମ୍ୟାନେଜ୍‌ମେଣ୍ଟ କଲେଜ ଆସୋସିଏସନ)ର କାର୍ଯ୍ୟକାରୀ ସଭାପତି ଇଂ. ସରୋଜ କୁମାର ସାହୁଙ୍କ କହିବାନୁଯାୟୀ କରୋନା ଯୋଗୁଁ ଦେଶର ଶିକ୍ଷା ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଭଳି ସମୟରେ ଓଡ଼ିଶାରେ ବିପିୟୁଟି ପ୍ରଥମ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ତ୍ବରିତ ଦୂରଦର୍ଶୀ ନିଷ୍ପତ୍ତି ନେଇଛି। ଏହାଦ୍ବାରା ଶେଷ ବର୍ଷ ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ। ଜୁଲାଇ ଶେଷ ସୁଦ୍ଧା ନିଜର ସାର୍ଟିଫିକେଟ୍‌ ପାଇପାରିବେ ଏବଂ ନିଯୁକ୍ତି ପାଇଥିବା କମ୍ପାନିଗୁଡ଼ିକରେ ବିନା ଅସୁବିଧାରେ ଚାକିରୀ ଜୀବନ ଆରମ୍ଭ କରିପାରିବେ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ପ୍ରଶଂସନୀୟ।

ସମ୍ବନ୍ଧିତ ଖବର