ଗଣ୍ଡମୁଣ୍ଡାରେ ବିପିୟୁଟି କ୍ୟାମ୍ପ୍ ଅଫିସ୍ ଚାଲୁ କରିବା ଦାବିରେ ବିକ୍ଷୋଭ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ଗଣ୍ଡମୁଣ୍ଡାରେ ଥିବା କ୍ୟାମ୍ପ୍ ଅଫିସ୍ ପୂର୍ବ ପରି ଚାଲୁ ରଖିବାକୁ ଦାବି କରିଛି ଓଡ଼ିଶା ବିପିୟୁଟି ଛାତ୍ର ସଂଘ। ଆଜି ସଂଘ ପକ୍ଷରୁ ମାଷ୍ଟର୍ କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଳପତିଙ୍କ କୁଶ ପୁତ୍ତଳିକା ଦାହ କରଯାଇଥିଲା। ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ଦୁଇ ବର୍ଷ ହେଲା ଏ ନେଇ ଦାବି କରାଯାଉଥିଲେ ବି ବିପିୟୁଟି କର୍ତ୍ତୃପକ୍ଷ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ଏ ପର୍ଯ୍ୟନ୍ତ ପଦକ୍ଷେପ ନେଇ ନାହାନ୍ତି। ବିପିୟୁଟି ଅଧୀନରେ ୧୫୦ରୁ ଅଧିକ କଲେଜ ଥିଲା ବେଳେ ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଅଧୀନରେ ୭୦ରୁ ଅଧିକ କଲେଜ ଅଛି। କିନ୍ତୁ ବିପିୟୁଟି ମୁଖ୍ୟ କାର୍ଯ୍ୟାଳୟ ରାଉରକେଲାରେ ହୋଇଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ କାମରେ ଅସୁବିଧା ଭୋଗୁଛନ୍ତି। ବିପିୟୁଟି ପ୍ରତିଷ୍ଠା ହେବା ଦିନ ଠାରୁ ଗଣ୍ଡମୁଣ୍ଡାରେ କ୍ୟାମ୍ପ୍ ଅଫିସ୍ ଥିଲା ବେଳେ କିଛି ବର୍ଷ ପୂର୍ବେ ବିପିୟୁଟି କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ତାହାକୁ ଉଠାଇ ଦେଇଛନ୍ତି। ଆସନ୍ତା ୭ ଦିନ ଭିତରେ କ୍ୟାମ୍ପ୍ ଅଫିସ୍ ଚାଲୁ କରିବା ପାଇଁ ପଦକ୍ଷେପ ନିଆ ନ ଗଲେ ଓଡ଼ିଶା ବିପିୟୁଟି ଛାତ୍ର ସଂଘ ସବୁ କଲେଜରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି।

ଏହି ବିକ୍ଷୋଭରେ ସଂଘର ଉପଦେଷ୍ଟା ପାର୍ଥସାରଥୀ ମୁଦୁଲି, ମୁଖ୍ୟ ସଂଗଠକ ଶକ୍ତି ପ୍ରସାଦ ରଥ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ମହାନ୍ତି, ସାଇ ନାରାୟଣ ବେହେରା, ସୁଧାଂଶୁ ଶେଖର ପ୍ରଧାନ, ସଂସଦ କୁମାର ନାୟକ, ମିଲନ ସାହାଣୀ, ଛାତ୍ର ସଂଘର ରାଜ୍ୟ ସଭାପତି ଅନମୋଲ କୁମାର, ଉପସଭାପତି ଜ୍ୟୋତିରଞ୍ଜନ ଶତପଥୀ, ସିଦ୍ଧାର୍ଥ ନାୟକ, ସୁଶାନ୍ତ ଜେନା, ସୁରେଶ ଜେନା ଓ ବିକାଶ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର