ମିଳିଲାନି ଅନ୍ତରୀଣ ସୁରକ୍ଷା: ବିପିୟୁଟି କୁଳପତିଙ୍କ ଆଗୁଆ ଜାମିନ ଆବେଦନ

କଟକ: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) କୁଳପତି ପ୍ରଫେସର ଡକ୍ଟର ଚିତ୍ତରଂଜନ ତ୍ରିପାଠୀଙ୍କ ପକ୍ଷରୁ ଦାୟର ଆଗୁଆ ଜାମିନ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଏସ୍‌.ସି.ପରିଜାଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଗ୍ରୀଷ୍ମ ଅବକାଶ ପରେ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କୁ ଆଜି ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳି ପାରି ନାହିଁ। ଏପରି ପରିସ୍ଥିତିରେ ପ୍ରଫେସର ତ୍ରିପାଠୀଙ୍କ ଅଡୁଆ ବଢିଛି। ବିପିୟୁଟିରେ ଆର୍ଥିକ ଅନିୟମିତତା ଓ ଅନ୍ୟାନ୍ୟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ପ୍ରଫେସର ତ୍ରିପାଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସିଲ ନିରଂଜନ ମହାରଣା ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ବିିପିୟୁଟି କୁଳପତି ପ୍ରଫେସର ତ୍ରିପାଠୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱବିଦ୍ୟାଳୟ ନିୟମ ଉଲ୍ଲଂଘନ କରି ପରିଚାଳନା ବୋର୍ଡର ବିନା ଅନୁମୋଦନରେ ୧୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ଦେଇଥିଲେ। ପରିଚାଳନା ବୋର୍ଡର ବିନା ଅନୁମୋଦନରେ ନିଯୁକ୍ତି ଫଳ ପ୍ରକାଶ ନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏପରି ନିର୍ଦ୍ଦେଶ ପାଳନ କରାଯାଇ ନଥିଲା। ଏଥି ସହିତ ମେ’ ୧୪ରେ ବସିଥିବା ପରିଚାଳନା ବୋର୍ଡ ବୈଠକରେ ବିଶ୍ୱବିଦ୍ୟାଳୟର ଆର୍ଥିକ ଓ ପ୍ରଶାସନିକ ପ୍ରସଂଗରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବୈଠକକୁ ସମସ୍ତଙ୍କୁ ଡକାଯାଇ ନଥିଲା। କୁଳପତିଙ୍କ ବିରୋଧରେ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପ୍ରଫେସର ତ୍ରିପାଠୀଙ୍କ ଠାରୁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ କାଢି ନିଆଯାଇ ଉତ୍ତରାଞ୍ଚଳ ଆରଡିସିଙ୍କୁ ଦିଆଯାଇଥିଲା। ଏଥି ସହିତ ଅଭିଯୋଗ ଗୁଡିକର ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଯାଇଥିଲା।

ସମ୍ବନ୍ଧିତ ଖବର