ବିପିୟୁଟିର ଖାମଖିଆଲି ମନୋଭାବ: ସରିଗଲାଣି ଶିକ୍ଷାବର୍ଷ, କଲେଜକୁ ମିଳିଲାନି ଆଫିଲିଏସନ୍
ବୃତ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ, ସାର୍ଟିଫିକେଟ୍ ପାଇଁ ଦୌଡ଼ିଦୌଡ଼ି କଲେଜ କର୍ତୃପକ୍ଷ ନୟାନ୍ତ
ଭୁବନେଶ୍ବର: ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଦିନ କେଇଟା ପରେ ପ୍ରବେଶିକା ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ତେବେ ଆଜି ପର୍ଯ୍ୟନ୍ତ କଲେଜଗୁଡ଼ିକୁ ୨୦୧୯-୨୦ ଶିକ୍ଷାବର୍ଷର ଆଫିଲିଏସନ୍(ସହବନ୍ଧନ) ଦେଇନି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)। ବର୍ଷେ ହେଲା ରାଜ୍ୟର ଶତାଧିକ ଶିକ୍ଷାନୁଷ୍ଠାନ ସହବନ୍ଧନ ଲାଗି ଆବେଦନ କରିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଯେଉଁଥିପାଇଁ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଲକ୍ଷାଧିକ ଛାତ୍ରଛାତ୍ରୀ ସରକାରଙ୍କ ବିଭିନ୍ନ ବୃତ୍ତି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ବିପିୟୁଟି ଅଧୀନସ୍ଥ କଲେଜଗୁଡ଼ିକର ସହବନ୍ଧନ ପାଇଁ ୨୦୧୯ ଜୁନ ମାସରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେହିଅନୁଯାୟୀ ବିପିୟୁଟି ଅଧିନସ୍ଥ ସମସ୍ତ କଲେଜ ଜୁଲାଇ ୧୩ ସୁଦ୍ଧା ଆବଶ୍ୟକ କାଗଜପତ୍ର ଓ ଫି’ ସହ ଆବେଦନ କରିଥିଲେ। ଆବେଦନର ୬ ମାସ ପରେ ଅର୍ଥାତ୍ ୨୦୨୦ ଜାନୁଆରିରେ ବିପିୟୁଟି ପକ୍ଷରୁ କଲେଜଗୁଡ଼ିକୁ ଡକାଯାଇଥିଲା। କଲେଜ ପକ୍ଷରୁ କରାଯାଇଥିବା ଆବେଦନପତ୍ର ସହ ଦାଖଲ ହୋଇଥିବା ସମସ୍ତ କାଗଜପତ୍ରର ପ୍ରମାଣ ଧରି କଲେଜ ଅଧ୍ୟକ୍ଷମାନେ ବ୍ୟକ୍ତିଗତ ଭାବେ ବିପିୟୁଟି ରାଉରକେଲା କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ନିର୍ଦେଶ ଦିଆଯାଇଥିଲା। କଲେଜଗୁଡ଼ିକ ମଧ୍ୟ ଏଦିଗରେ ପଦକ୍ଷେପ ନେଇଥିଲେ। ତେବେ ଇତି ମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ବିପିୟୁଟି ପକ୍ଷରୁ କଲେଜଗୁଡ଼ିକୁ ସହବନ୍ଧନ ପ୍ରଦାନ କରାଯାଇ ନାହିଁ।
ଯେଉଁଥିପାଇଁ ବିପିୟୁଟି ଅଧୀନରେ ଥିବା ୧୫୦ରୁ ଅଧିକ ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏ, ଫାର୍ମାସୀ କଲେଜର ଲକ୍ଷାଧିକ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଲେଜରେ ପଢ଼ୁଥିଲେ ମଧ୍ୟ ସେମାନେ ବିଭିନ୍ନ ସରକାରୀ ବୃତ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍କଲାରସିପ୍(ବୃତ୍ତି) ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରୁ ନାହାନ୍ତି। ନାକ୍ ଟିମ୍ ଆସିବା ସମୟରେ କଲେଜଗୁଡ଼ିକ ସହବନ୍ଧନ ସାର୍ଟିଫିକେଟ୍ ଦେଖାଇପାରୁ ନାହାନ୍ତି। କଲେଜଗୁଡ଼ିକ ବିଭିନ୍ନ ସରକାରୀ ଅଫିସରେ ୨୦୧୯-୨୦ ଶିକ୍ଷାବର୍ଷର ସହବନ୍ଧନ ସାର୍ଟିଫିକେଟ୍ ଦେଖାଇପାରୁ ନ ଥିବାରୁ ଏସ୍ସିଏ/ଏସ୍ଟି ଛାତ୍ରଛାତ୍ରୀ ବୃତ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ କଲେଜଗୁଡ଼ିକ ବାରମ୍ବାର ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥାପି ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ଉତ୍ତର ଦିଆଯାଉ ନାହିଁ। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା ଯେ ୨୦୨୦-୨୧ ଶିକ୍ଷାବର୍ଷର ସହବନ୍ଧନ ଲାଗି ସମୟ ହୋଇଗଲାଣି। କଲେଜଗୁଡ଼ିକ ଏବେ ଆବେଦନ କରିବା କଥା। ତେବେ ପୂର୍ବବର୍ଷର ସହବନ୍ଧନ ସାର୍ଟିଫିକେଟ୍ ମିଳି ନ ଥିବାରୁ କଲେଜଗୁଡ଼ିକ ଏବେ ଆଶା ଆଶଙ୍କାରେ ଅଛନ୍ତି। ଯଦି ବିପିୟୁଟି ପକ୍ଷରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ କଲେଜ ସମୂହର କର୍ମମର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ସମେତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ କୁଳସଚିବ ହିଂମାଶୁ ଶେଖର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେକୌଣସି ଉତ୍ତର ଦେଇ ନ ଥିଲେ।