ଖୋର୍ଦ୍ଧା: ବାବାସାହେବ ଆମ୍ବେଦକର ପରାଧୀନ ଭାରତରେ ଜନ୍ମ ନେଇଥିଲେ । ସେ ସମୟରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା କିମ୍ବା ସାମାଜିକ ବ୍ୟବସ୍ଥାରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ନଥିଲା। କିନ୍ତୁ ସେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସମସ୍ତ ପ୍ରତିକୂଳ ପରିସ୍ଥିତର ସାମ୍ନା କରି ସେ ଦେଶର ଶୀର୍ଷସ୍ଥାନ ହାସଲ କରିପାରିଥିଲେ । ସ୍ଥାନୀୟ ଜୟୀ ରାଜଗୁରୁ ଭବନରେ ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ପରିବାର ପକ୍ଷରୁ ଆୟୋଜିତ ବାବାସାହେବ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଉପରୋକ୍ତ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ସାଧାରଣତଃ ଆମେ ନିଜର ପିଲାଙ୍କ ଜନ୍ମଦିବସ ପାଳନ କରିଥାଉ । ଏହା ପାଳନ କରି ସେମାନଙ୍କୁ ଚେତାଇଦେଉ ଯେ ଆହୁରି ଭଲ କାମ କଲେ ଲୋକେ ଏଭଳି ଅଧିକ ଭଲ ପାଇବେ । ସେହିଭଳି ଆମେ ନିଜର ବାପା, ଜେଜେଙ୍କ ଜନ୍ମ ଦିବସ ପାଳନ କରି ସେମାନେ ଆମର ମଙ୍ଗଳ ପାଇଁ କରିଥିବା କାର୍ଯ୍ୟର ସ୍ମରଣ କରିଥାଉ । ଏହି ଧାରାରେ ଆଜିର ଦିନରେ ବାବାସାହେବଙ୍କ ଜନ୍ମଦିନ କେବଳ ପାଳନ କରିବା ନୁହେଁ ତାଙ୍କର ଜୀବନାଦର୍ଶକୁ କାର୍ଯ୍ୟରେ ପରିଣତ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଏହା କରିବା ଦ୍ୱାରା ସେ କରିଥିବା ଉପକାରର ପ୍ରକୃତ ଋଣ ଆମେ ଶୁଝିପାରିବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଯେଉଁ ସମୟରେ ସମାଜରେ ଜାତିଭେଦ ଜନିତ କଳୁଷତାର ପ୍ରାବଲ୍ୟ ଥିଲା, ମହର୍ଷି ବାଲ୍ମିକୀ ରମାୟଣ ଭଳି ଏକ ମହାନ କାବ୍ୟ ରଚନା କରିଥିଲେ । ଏଥିରେ ହନୁମାନ ଓ ଜାମ୍ଭବାନଙ୍କ ଭଳି ଚରିତ୍ର ଦ୍ୱାରା ବନବାସୀ, ଜନଜାତି କିଭଳି ପୂଜ୍ୟ ହୋଇପାରନ୍ତି ତାହା ସେ ପ୍ରକାଶ କରିଥିଲେ । ଆମ୍ବେଦକରଙ୍କ ଜୀବନ, ସଂଘର୍ଷର କଥା ମଧ୍ୟ ଅନୁରୂପ ଭାବେ ସେହି ଘଟଣାର ପ୍ରତିବିମ୍ବ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଥିଲେ।
ରାମାୟଣ, ଜାମ୍ବବାନ, ହନୁମାନ, ରାମଙ୍କ ଶକ୍ତିପୂଜା ଠାରୁ ଆରମ୍ଭ କରି ବ୍ରିଟିଶ ଶାସିତ ଭାରତର ସାମାଜିକ ବ୍ୟବସ୍ଥା, ଏଥିରେ ଛାତ୍ର ଜୀବନରୁ ଆମ୍ବେଦକରଙ୍କ ଅସ୍ପୃଶ୍ୟତା ବିରୋଧରେ ଲଢେଇ କରି ଶିକ୍ଷା ଗ୍ରହଣ କରିବା, ଏପରିକି ଲଣ୍ଡନ୍ ସ୍କୁଲ ଅଫ୍ ଇକୋନିମିକ୍ସର ଛାତ୍ର ହେବା ଓ ଦେଶର ପ୍ରଥମ ଆଇନମନ୍ତ୍ରୀ ହେବା, ଦଳିତ ଓ ପଛୁଆବର୍ଗଙ୍କ ଅଧିକାର ପାଇଁ ଲେବର ପାର୍ଟି ଗଢ଼ି ୧୯୩୭ ନିର୍ବାଚନରେ ସଫଳ ହେବା ଓ ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ହେବା କଥାର ସ୍ମୃତିଚାରଣ କରି ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଥିଲେ ଯେ, ଆମ୍ବେଦକର ହେଉଛନ୍ତି ନୂତନ ବ୍ୟବସ୍ଥାର ନିର୍ମାତା । ଜଣେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କିଭଳି ଆଗକୁ ବଢ଼ିବ ତାହା ଆମ୍ବେଦକରଙ୍କ ଜୀବନୀରୁ ଶିଖିବା କଥା। ଏହାସହ ଖୋର୍ଦ୍ଧାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଆୟୋଜକଙ୍କ ପକ୍ଷରୁ ଦିଆଯାଇଥିବା ଦାବିକୁ ଯଥାର୍ଥ କହି ଏନେଇ ତୁରନ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ମଂଚାସୀନ ଥିଲେ । ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ପରିବାରର ସଭାପତି ମୋହନ ନାୟକ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ସଭାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମାଜସେବୀ ସଂଜୟ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବାବାସାହେବ ସମ୍ମାନରେ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଓ ଖୋର୍ଦ୍ଧା ଉପନିବନ୍ଧକ ବିଜୟ ସେଠୀଙ୍କୁ ସମ୍ମାନିତ କରାଯାଇଥିଲା । ଇଂ ଅଂଜଳି ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଆଇନଜୀବୀ ରଣଜିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Odisha-anusuchita-jjati-Ambedkar-jayanti-khordha.jpeg)