ବ୍ରହ୍ମାକୁମାରୀ ରାଜଯୋଗିନୀ ଦାଦୀ ଜାନକୀଙ୍କର ଦେହତ୍ୟାଗ

କଟକ: ମହିଳାମାନଙ୍କ ଦ୍ୱାରା ସଂଞ୍ଚାଳିତ ବିଶ୍ୱର ସବୁଠୁ ବୃହତ ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଏବଂ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍ ଆମ୍ବାସାଡାର୍ ରାଜଯୋଗିନୀ ଦାଦୀ ଜାନକୀ ୧୦୪ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି। ମାଉଣ୍ଟଆବୁ ସ୍ଥିତ ଗ୍ଲୋବାଲ୍ ହସ୍ପିଟାଲରେ ଆଜି ସକାଳ ୨ଟା ସମୟରେ ଶେଷ ନିଶ୍ୱାସ ନେଇଥିଲେ। ସେ ଗତ ଦୁଇ ମାସରୁ ନିଶ୍ୱାସ ଏବଂ ପେଟ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ବ୍ରହ୍ମାକୁମାରୀ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଶାନ୍ତିବନ ପରିସରରେ ଅପରାହ୍ନରେ ଶେଷ ହୋଇଯାଇଛି।
ନାରୀ ଶକ୍ତିର ପ୍ରେରଣା ସ୍ରୋତ ରାଜଯୋଗିନୀ ଦାଦୀ ଜାନକୀଜୀଙ୍କ ଜନ୍ମ ୧ ଜାନୁଆରି ୧୯୧୬ରେ ହାଇଦ୍ରାବାଦ୍ ସିନ୍ଧ (ବର୍ତ୍ତମାନ ପାକିସ୍ଥାନରେ) ହୋଇଥିଲା। ସେ ୨୧ ବର୍ଷ ବୟସରେ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ପଥକୁ ନିଜର କରିନେଇଥିଲେ ତଥା ସମ୍ପୂର୍ଣ୍ଣ ରୂପେ ସମର୍ପିତ ହୋଇଥିଲେ। ତାଙ୍କର ଲୌକିକ ପାଠ ମାତ୍ର ଚତୁର୍ଥ ଶ୍ରେଣୀ ହୋଇଥିଲେ ମଧ୍ୟ ଆଧ୍ୟାତ୍ମିକତାର ଉଚ୍ଚ ଶିଖରକୁ ପହଞ୍ଚି ପାରିରିଥିଲେ ଦାଦୀ ଜାନକୀଜୀ। ତତ୍‌ସହିତ ଆଧ୍ୟାତ୍ମିକତାର ଆଭା ଏବଂ ଭାରତୀୟ ଦର୍ଶନ, ରାଜଯୋଗ ଏବଂ ମାନବୀୟ ମୂଲ୍ୟର ସ୍ଥାପନା ଅର୍ଥେ ୧୯୭୦ରେ ପାଶ୍ଚାତ୍ୟ ଦେଶକୁ ଯାଇ ବିଶ୍ୱର ୧୪୦ଟି ଦେଶରେ ମାନବୀୟ ମୂଲ୍ୟର ବୀଜରୋପଣ କରି ହଜାର ହଜାର ସେବାକେନ୍ଦ୍ରର ସ୍ଥାପନା କରାଇ ଲକ୍ଷ ଲକ୍ଷ ଲୋକଙ୍କୁ ନୃତନ ଦିଗ୍‌ଦର୍ଶନ ଦେଇଥିଲେ।

ରାଜଯୋଗିନୀ ଦାଦୀ ଜାନକୀଜୀ ସମଗ୍ର ବିଶ୍ୱରେ ମନ ଏବଂ ଆତ୍ମାର ସ୍ବଚ୍ଛତା ସହିତ ପରିବେଶ ସ୍ବଚ୍ଛତାର ମଧ୍ୟ ବିଶେଷ କାର୍ଯ୍ୟ କରିଥିଲେ। ସେଥିପାଇଁ ଭାରତ ସରକାର ମଧ୍ୟ ତାଙ୍କୁ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍ ଆମ୍ବାସାଡାର୍ ନିଯୁକ୍ତ କରିଥିଲେ। ଦାଦୀ ଜାନକୀଙ୍କର ମୃତ୍ୟୁ ଖବର ଶୁଣି ଦେଶ ବିଦେଶରେ ସଂସ୍ଥାର ଭାଇ ଭଉଣୀମାନେ ଶ୍ରଦ୍ଧାଞ୍ଜଳି ସୁମନ ନିମନ୍ତେ ଯୋଗ ସାଧନା କରୁଛନ୍ତି। ତାଙ୍କର ପାର୍ଥିବ ଶରୀର ମାଉଣ୍ଟଆବୁରୁ ଆବୁରୋଡ୍ ଶାନ୍ତିବନ ପରିସରରେ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କିଛି ସମୟ ରଖାଯିବ ତତ୍‌ପଶ୍ଚାତ୍ ତାଙ୍କର ପାର୍ଥିବ ଶରୀରକୁ ପଞ୍ଚତତ୍ୱକୁ ଅର୍ପିତ କରାଯିବ।

ସମ୍ବନ୍ଧିତ ଖବର