କଟକ: ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟକାରେ ଚାଲିଥିବା କ୍ରୋମାଇଟ ଖଣି ଯୋଗୁଁ ବ୍ରାହ୍ମଣୀ ଓ ଏହାର ଶାଖା ନଦୀଗୁଡିକର ଜଳ ପ୍ରଦୂଷିତ ହେବା ଅଭିଯୋଗ ସଂପର୍କିତ ମାମଲାରେ ସତ୍ୟପାଠ ଦାଖଲ ପାଇଁ ସରକାର ପୁଣି ମହଲତ ଲୋଡ଼ିଛନ୍ତି। ହାଇକୋର୍ଟ ସରକାରଙ୍କୁ ଶେଷ ସୁଯୋଗ ଦେବା ସହିତ ଫେବ୍ରୁଆରି ୬ ତାରିଖ ସୁଦ୍ଧା ୨୦୨୨, ଅଗଷ୍ଟ ୨୩ର ନିର୍ଦ୍ଦେଶ ଅନୁସାରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରଂସଗରେ ପୂର୍ବରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଦାଖଲ କରିବା ସହିତ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ପରାମର୍ଶ ଦେଇଥିଲା। ଏହି ରିପୋର୍ଟରେ ରହିଥିବା ପରାମର୍ଶ ଓ ଅନୁମୋଦନ ଆଧାରରେ ବ୍ରହ୍ମଣୀ ଓ ଏହାର ଶାଖାନଦୀଗୁଡିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ୨୦୧୫, ଅଗଷ୍ଟ ୨୮ରେ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରାମର୍ଶ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦର୍ଶାଇ ୨୦୧୫, ନଭେମ୍ବର ୧୩ରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।
ଏହାପରେ ୨୦୨୨, ଅଗଷ୍ଟ ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ସାନି ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଭିତରେ ୭ ବର୍ଷ ବିତି ଯାଇଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରାମର୍ଶ କାର୍ଯ୍ୟକାରୀ କରାଯାଉଛି କି ନାହିଁ ସେ ନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଥିଲେ। ବ୍ରହ୍ମଣୀ ଓ ଏହାର ପ୍ରମୁଖ ଶାଖା ନଦୀର ଜଳର ମାନ ନେଇ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିବାକୁ ଗତ ଅଗଷ୍ଟ ୨୩ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨, ନଭେମ୍ବର ୧୬ରେ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର ଅଧିକ ମହଲତ ଲୋଡ଼ିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, ସୁକିନ୍ଦା ଉପତ୍ୟକାରେ ଚାଲିଥିବା ଖଣି ଖନନ ଯୋଗୁଁ ବ୍ରହ୍ମଣୀ ନଦୀ ସହିତ ଅନ୍ୟ ନଦୀ ଓ ନାଳର ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ସ୍ଥାନୀୟ ବାସିନ୍ଦା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ୨୦୧୪ରେ ଏକ ମାମଲା ରୁଜୁ କରିଥିଲେ। ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।