ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆମାନଙ୍କ ଅଭିଭାବକ। ଯେବେ ବି ମହାପ୍ରଭୁଙ୍କ ରତ୍ନ ଲୁଟିବାକୁ ବିଧର୍ମୀ ସମ୍ରାଟମାନେ ଉଦ୍ୟମ କରିଛନ୍ତି, ତା’ର ସୁରକ୍ଷା ପାଇଁ ଓଡ଼ିଆ ବୀରମାନେ ଛିଡ଼ା ହୋଇଛନ୍ତି। ବ୍ରହ୍ମଗିରି ଚବିଶକୁଦର ଗଡ଼ୁଆ ପାଇକମାନେ ମହାପ୍ରଭୁଙ୍କ ରତ୍ନର ସୁରକ୍ଷା ପାଇଁ ଖାଲି ପ୍ରାଣବଳି ଦେଇନଥିଲେ, ବରଂ ମୋଗଲ ଶାସକଙ୍କଠାରୁ ରତ୍ନ ସବୁକୁ ଛଡ଼ାଇ ଆଣିଥିଲେ। ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି କାଶୀନାଥ ନାୟକଙ୍କ ତଥ୍ୟ ମୁତାବକ, ଶ୍ରୀମନ୍ଦିରର ଉପରେ ପ୍ରାୟ ୧୮ ଥର ଆକ୍ରମଣ ହୋଇଛି। ଉଦ୍ଦେଶ୍ୟ ଥିଲା ବିରଳ ମଣି, ମୁକ୍ତା, ସୁନା, ହୀରା ଆଦି ରତ୍ନରେ ସମୃଦ୍ଧ ରତ୍ନଭଣ୍ଡାର ଲୁଣ୍ଠନକରିବା। ଏହି ପରିପ୍ରେକ୍ଷୀରେ ଷୋଡ଼ଶ ଖ୍ରୀଷ୍ଟାବ୍ଦରେ ବ୍ରହ୍ମଗିରିର ଲଢୁଆ ପାଇକମାନେ ଶ୍ରୀମନ୍ଦିର ସୁରକ୍ଷା ସହିତ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ସମର୍ପିତ ଭାବରେ ଲଢେଇ କରିଥିବାର ନଜିର ରହିଛି। ୧୬୧୧ ମସିହାର କଥା।

Advertisment

ମୋଗଲ ଶାସକଙ୍କ ତରଫରୁ ଓଡ଼ିଶା ଦାୟିତ୍ବରେ ନିଯୁକ୍ତ ହୋଇଥିଲେ କଲ୍ୟାଣ ମଲ୍ଲ। ମୋଗଲ ଶାସକଙ୍କୁ ଖୁସି କରିବାକୁ କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଆକ୍ରମଣ ଯୋଜନା କଲା। ଗଜପତି ପୁରୁଷୋତ୍ତମ ଦେବ ଏକଥା ଜାଣି ସେବାୟତଙ୍କ ସହ ପରାମର୍ଶ କରି ଚତୁର୍ଦ୍ଧା ବିଗ୍ରହଙ୍କୁ ରତ୍ନ ସିଂହାସନରୁ ଅନ୍ତର କରିଥିଲେ। ଏହି ଆକ୍ରମଣରେ କଲ୍ୟାଣ ମଲ୍ଲ ଗଜପତିଙ୍କ ସହ ଛଳନା କରି ଗଜପତିଙ୍କ ସେନାପତିଙ୍କ ମୁଣ୍ଡ କାଟ କରି ଅତର୍କିତ ଆକ୍ରମଣ କଲା। ଏହାପୂର୍ବରୁ ଆକ୍ରମଣର ଆଭାସ ଯୋଗୁ ଗଜପତି ଚତୁର୍ଦ୍ଧା ବିଗ୍ରହଙ୍କୁ ବ୍ରହ୍ମଗିରି କୃଷ୍ଣପ୍ରସାଦ ଅନ୍ତର୍ଗତ ମହଷାନାସିକୁ ସ୍ଥାନାନ୍ତର କରିସାରିଥିଲେ। ମାଦଳା ପାଞ୍ଜିରେ ଏ ସମ୍ପର୍କରେ ବର୍ଣ୍ଣନା ଥିବା ସେ କହିଛନ୍ତି। ପ୍ରଥମ ଆକ୍ରମଣରେ କଲ୍ୟାଣ ମଲ୍ଲ ବିପୁଳ ଧନରତ୍ନ ଲୁଟିନେଇ ଦିଲ୍ଲୀର ଶାସକ ଜାହାଙ୍ଗୀରଙ୍କ ଦରବାରରେ ଭେଟି ଦେଇ ସାବାସୀ ପାଇଲା। ତେଣୁ ଦ୍ବିତୀୟ ଥର ଆକ୍ରମଣ ପାଇଁ ପ୍ରୟାସ ଆରମ୍ଭ କଲା।

୧୬୧୨ ମସିହା ଜୁଲାଇ ମାସ ୬ ତାରିଖରେ ସେ ଦ୍ବିତୀୟ ବାର ଆକ୍ରମଣ କରି ଶ୍ରୀମନ୍ଦିର ଲୁଣ୍ଠନ ପାଇଁ ଆସିଥିଲା। ଶ୍ରୀମନ୍ଦିରକୁ ଚତୁର୍ଦିଗରୁ ଘେରି ରତ୍ନ ଲୁଣ୍ଠନ କଲେ। ସେତେବେଳକୁ ଗଜପତି ପୁରୁଷୋତ୍ତମ ଦେବ ପୁରୀରେ ନଥାନ୍ତି। ଏହି ଖବର ବ୍ରହ୍ମଗିରି ଚବିଶକୁଦ ଅଞ୍ଚଳକୁ ବ୍ୟାପିବା କ୍ଷଣ କୋକଲଗ, ଅନ୍ଧାରିଗଡ଼ ସହିତ ୯ଟି ଗଡ଼ର ପାଇକମାନେ ତାତି ଉଠିଲେ। ସେତେବେଳକୁ ଶ୍ରୀଜଗନ୍ନାଥ ପରମେଶ୍ୱର ଚିଲିକାରେ ସୁରକ୍ଷିତ ଲୀଳା କରୁଥାନ୍ତି। କିନ୍ତୁ ତାଙ୍କ ରତ୍ନଭଣ୍ଡାର ଲୁଣ୍ଠନ ହେଉଥାଏ। ସମସ୍ତ ପାଇକ ଯୋଦ୍ଧା ଏକାଠି ହୋଇ ପୁରୁଷୋତ୍ତମ ଅଭିମୁଖେ ଛୁଟିଲେ। ପାଇକ ଯୋଦ୍ଧା କୋକଲଗଡ଼ର ନାୟକ ଶ୍ରୀପତି ଚମ୍ପତିରାଏ, ତାଙ୍କ ପୁତ୍ର ଗୋପାଳ ଚମ୍ପତି, କହ୍ନେଇ ଚମ୍ପତି ଆଦି ବୀରଙ୍କ ନେତୃତ୍ବରେ ବହ ପାଇକ ଅସ୍ତ୍ରଶସ୍ତ୍ର ସହ ଶ୍ରୀକ୍ଷେତ୍ରକୁ ଛୁଟିଲେ। କଲ୍ୟାଣ ମଲ୍ଲ ଲୁଣ୍ଠନ କରୁଥିବା ବେଳେ ପାଇକମାନେ ମୋଗଲ ସେନା ଉପରେ ଆକ୍ରମଣ କଲେ। ଶ୍ରୀକ୍ଷେତ୍ର ଭିତରେ ପ୍ରବେଶ କରି ବେଢାରେ କଲ୍ୟାଣ ମଲ୍ଲର ସେନାକୁ ହତ୍ୟା କଲେ। କଲ୍ୟାଣ ମଲ୍ଲ ସେନା ପଳାୟନ କରୁଥିବା ବେଳେ ସିଂହଦ୍ବାର ନିକଟରେ ସମ୍ମୁଖ ଯୁଦ୍ଧ ହେଲା। ଅତର୍କିତ ଆକ୍ରମଣ କରି କଲ୍ୟାଣ ମଲ୍ଲ ବୀର ଗୋପାଳ ଚମ୍ପତିର ମୁଣ୍ଡ ଗଣ୍ଡି ଦୁଇଗଡ଼ କରିଦେଲା।

ସିଂହଦ୍ବାରର ବାଲୁକା ରାଶି ରକ୍ତ ରଞ୍ଜିତ ହେଲା। ପୁତ୍ର ଗୋପାଳର କଟା ମୁଣ୍ଡ ଦେଖି ବୀର ଶ୍ରୀପତି ଚମ୍ପତିରାୟ ବିଚଳିତ ହୋଇନଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଙ୍କ ରତ୍ନ ଅଳଙ୍କାର ଲୁଟି ନେଉଥିବା ବିଧର୍ମୀ କଲ୍ୟାଣ ମଲ୍ଲକୁ ଆକ୍ରମଣ କଲେ। ବିଧର୍ମୀଙ୍କୁ ଆକ୍ରମଣ କରି ମୋଗଲ ସେନାଙ୍କ ରକ୍ତରେ ତରବାରୀ ରଞ୍ଜିତ କରିଥିଲେ। ଭୟଭୀତ ହୋଇ କଲ୍ୟାଣ ମଲ୍ଲ ପଳାୟନ କରିବା ସମୟରେ ତାକୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ପିପିଲି (ଠବାଘାସ)ଠାରୁ କଲ୍ୟାଣ ମଲ୍ଲ ଲୁଟିନେଇଥିବା ଧନରତ୍ନ ଛଡାଇ ଆଣିଥିଲେ। ଖୋର୍ଦ୍ଧା ରାଜାଙ୍କୁ ଆଣି ରତ୍ନ ସବୁ ଜମା ଦେଇଥିଲେ। କହ୍ନେଇ ଚମ୍ପତିରାଏ ତାଙ୍କର ରଚିତ ସମର ଶାସ୍ତ୍ରରେ ପାଇକ ଖେଦାର ଏହି କଥା ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀ କାଶୀନାଥ ନାୟକ କହିଛନ୍ତି।