ବ୍ରହ୍ମପୁର : ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦୁଇ ମନ୍ତ୍ରୀଙ୍କ ସମେତ ବାଚସ୍ପତି ଇସ୍ତଫା ଦେବା ପରେ ଏବେ ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ଦୀର୍ଘ ୪ଦଶନ୍ଧି ହେବ ରାଜ୍ୟ ମନ୍ତ୍ରିମଣ୍ଡଳରେ ବ୍ରହ୍ମପୁରରୁ କେହି ହେଲେ ସ୍ଥାନ ପାଇନାହାନ୍ତି। ଏପରିକି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ (ବିଜେଡି) ୫ଥର ରାଜ୍ୟର ଶାସନ କ୍ଷମତା ଅକ୍ତିଆର କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ବ୍ରହ୍ମପୁର ବାସିନ୍ଦା ତାଙ୍କ ନେତୃତ୍ବକୁ ସମର୍ଥନ ଜଣାଇ ଏଠାରୁ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ମନ୍ତ୍ରିମଣ୍ଡଳରେ ବ୍ରହ୍ମପୁରରୁ ପ୍ରତିନିଧିତ୍ବ କରୁଥିବା କୌଣସି ବିଧାୟକ ସ୍ଥାନ ପାଇନାହାନ୍ତି। ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ୪ଥର ବିଧାୟକ ହୋଇଥିବା ବେଳେ ଥରଟିଏ ମଧ୍ୟ ମନ୍ତ୍ରୀ ପଦ ପାଇଲେ ନାହିଁ।
୨୦୧୯ନିର୍ବାଚନରେ ବିକ୍ରମ କୁମାର ପଣ୍ଡା କଂଗ୍ରେସ୍ ଛାଡ଼ି ବିଜେଡିରୁ ପ୍ରାର୍ଥୀ ହେବାପରେ କାଳେ ଦଳରେ ଫାଟ ସୃଷ୍ଟି ହେବ, ସେଥିପାଇଁ ଡା. ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଯିବ ବୋଲି କୁହାଯାଇଥିଲା। ଏହା ମଧ୍ୟରେ ୪ବର୍ଷ ବିତିବାକୁ ବସିଲାଣି, ରାଜ୍ୟସଭା ପାଇଁ ଅନ୍ୟମାନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଏଯାଏ ଏହି ବରିଷ୍ଠ ନେତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିପାରିନି। ସେପଟେ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପଦ ଦେବେ ନା ପୁଣି ସ୍ଥାନୀୟ ଲୋକେ ନିରାଶ ହେବେ ତାହା ଚର୍ଚ୍ଚାର ବିଷୟ ହୋଇଛି।
ବ୍ରହ୍ମପୁର ବିଧାୟକ ହୋଇ ଶେଷଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ କଂଗ୍ରେସ ନେତା କୃଷ୍ଣ ଚରଣ ପଟ୍ଟନାୟକ। ୧୯୮୦ ସାଧାରଣ ନିର୍ବାଚନରେ ଦିବଂଗତ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ସଫଳତା ହାସଲ କରି ସରକାର ଗଠନ କରିଥିଲା। ସେହିବର୍ଷ ବ୍ରହ୍ମପୁରରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ କୃଷ୍ଣଚରଣ ପଟ୍ଟନାୟକ ବିଜୟୀ ହୋଇଥିଲେ। ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିଥିଲେ ସେତେବେଳର ପୁରୁଖା ନେତା ବିନାୟକ ଆଚାର୍ଯ୍ୟ। କିନ୍ତୁ ଶ୍ରୀ ପଟ୍ଟନାୟକ ଏହି ନିର୍ବାଚନରେ ବୃହତ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ ସେହିବର୍ଷ ମୁଖ୍ୟମନ୍ତ୍ରୀ ହେବା ସହ ରାଷ୍ଟ୍ରମନ୍ତ୍ରୀ ଭାବେ କୃଷ୍ଣଚରଣ ପଟ୍ଟନାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। ତାଙ୍କୁ ଆଇନ, ବାଣିଜ୍ୟ ଓ ପରିବହନ ମନ୍ତ୍ରାଳୟ ମିଳିଥିଲା। ୧୯୮୦ ମସିହା ଜୁନ୍୧୦ରୁ ୧୯୮୧ମସିହା ଜୁଲାଇ୧୪ ପର୍ଯ୍ୟନ୍ତ ସେ ଉପରୋକ୍ତ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ। ପୁଣି ୧୯୮୧ ଜୁଲାଇ୧୪ରେ ମୁଖ୍ୟମନ୍ତ୍ରୀ ତାଙ୍କର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଥିଲେ। ସେଥର ମଧ୍ୟ କୃଷ୍ଣଚରଣ ପଟ୍ଟନାୟକଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ (କମ୍ୟୁନିଟି ଡେଭେଲପମେଣ୍ଟ ଆଣ୍ଡ ରୁରାଲ ରିକନ୍ଷ୍ଟ୍ରକସନ୍) ବିଭାଗର ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଥିଲେ। କିନ୍ତୁ ୧୯୮୨ ଏପ୍ରିଲ୍ ୧୪ରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ବ୍ରହ୍ମପୁରରୁ ପ୍ରତିନିଧିତ୍ବ କରିଥିବା କୌଣସି ବିଧାୟକ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି।