ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ୧୯. ୬୪ କୋଟିର ଗଡ଼ବଡ଼

ବ୍ରହ୍ମପୁର/ଗୋପାଳପୁର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରୁଷା ଓ ୟୁଜିସି ପାଣ୍ଠିରୁ କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ ରାଜ୍ୟ ଭିଜିଲାନସ୍‌ ନିର୍ଦେଶାଳୟରେ ପହଞ୍ଚିଥିଲା। ସେପଟେ ବିଶ୍ୱବିଦ୍ୟାଳୟ ପ୍ରଶାସନ ମଧ୍ୟ ବିଗତ ଦିନରେ ବହୁ କୋଟି ଟଙ୍କାର ସଠିକ୍‌ ହିସାବ ମିଳୁ ନାହିଁ ବୋଲି କୁଳାଧିପତି ତଥା ରାଜ୍ୟପାଳଙ୍କୁ ଚିଠି ଲେଖିଥିଲା। ବରିଷ୍ଠ ଓଏଏସ୍‌ ଅଧିକାରୀ ଶୈଳେନ୍ଦ୍ର ଦ୍ୱିବେଦୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଦାୟିତ୍ୱ ନେବା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ। ସେ ଗତ ଜାନୁଆରି ମାସରେ କୁଳାଧିପତିଙ୍କୁ ଦେଇଥିବା ରିପୋର୍ଟରେ ୧୯କୋଟି ୬୪ ଲକ୍ଷ ୨୪ହଜାର ୧୫୧ ଟଙ୍କାର ହିସାବ ଗଡ଼ବଡ଼ ଥିବା ଓ ଏହି ଅର୍ଥ ବିନିଯୋଗରେ ଅସାମଞ୍ଜସ୍ୟ ଥିବା ନେଇ ଉଲ୍ଲେଖ କରିଥିଲେ। କୁଳସଚିବ ଶ୍ରୀ ଦ୍ୱିବେଦୀ ଗତ ଜାନୁଆରି ୩୧ତାରିଖରେ ଚିଠି ନମ୍ବର-୭୩୦ରେ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବଙ୍କ ନିକଟକୁ ପଠାଇଥିବା ଏହି ଚିଠିରେ ସେ ଏହାର ସ୍ୱତନ୍ତ୍ର ଅଡ଼ିଟ୍‌ କରାଯିବାକୁ ମଧ୍ୟ ନିବେଦନ କରିଥିଲେ। ସେହି ଚିଠି ଆଧାରରେ ଗତ ଫେବ୍ରୁଆରି ୨୭ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ ଏହାର ସ୍ୱତନ୍ତ୍ର ଅଡିଟ୍‌ କରିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅନୁସଚିବ ଏନ୍‌.ସି ସାହୁ ଲୋକାଲ୍‌ ଫଣ୍ଡ ଅଡିଟ୍‌ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଜଣେ ବରିଷ୍ଠ ଓ ଦକ୍ଷ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଏହି ଅଡ଼ିଟ୍‌ କରିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଏହା ସହିତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ତୁରନ୍ତ ଅଡ଼ିଟ୍‌ ରିପୋର୍ଟ ଦାଖଲ କରିବା ପାଇଁ ଚିଠିରେ ନିର୍ଦେଶ ଅଛି। ସେପଟେ କୁଳସଚିବ ଅର୍ଥ ବିନିଯୋଗ ଅସାମଞ୍ଜସ୍ୟ ନେଇ କୁଳାଧିପତିଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିବା ପରେ ଆର୍ଥିକ ଅନିୟମିତତା ଅଭିଯୋଗ ଅଧିକ ସ୍ପଷ୍ଟ ହୋଇଛି। ଅର୍ଥ ବିଭାଗର ସ୍ୱତନ୍ତ୍ର ଅଡିଟ୍‌ ନିର୍ଦ୍ଦେଶ ସମ୍ପର୍କରେ କୁଳସଚିବ ଶ୍ରୀ ଦ୍ୱିବେଦୀଙ୍କୁ ପଚାରିବାରୁ ସେ କହିଛନ୍ତି କୁଳସଚିବ ଭାବେ ଯୋଗଦାନ କରିବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଖର୍ଚ୍ଚ ମଧ୍ୟରୁ ୧୯କୋଟି ୬୪ଲକ୍ଷ ୨୪ହଜାର ୧୫୧ ଟଙ୍କାର ହିସାବ ମିଳୁ ନଥିବା ରେକର୍ଡ଼ରୁ ଜଣାପଡ଼ିଥିଲା। ତୁରନ୍ତ ଏ ସମ୍ପର୍କରେ କୁଳାଧିପତିଙ୍କ କାର୍ଯ୍ୟାଳୟକୁ ଜଣାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠି ଲେଖା ଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର