ବ୍ରହ୍ମପୁର: ବ୍ରହ୍ମପୁରର ସ୍ବତନ୍ତ୍ର ପରିଚୟ ହେଉଛି ‘ରେଶମ ପାଟବସ୍ତ୍ର’। ଦେଶ ଭିତରେ ଓ ବାହାରେ ଏହାର ଆଦୃତ୍ତି ରହିଛି। ଏଥିପାଇଁ ବ୍ରହ୍ମପୁରକୁ ରେଶମ ସହର ବୋଲି ମଧ୍ୟ କୁହାଯାଏ। ଉଦ୍ବେଗର ବିଷୟ, ବ୍ରହ୍ମପୁରର ଏହି ପରିଚୟ ଏବେ ହଜିଯିବାକୁ ବସିଲାଣି। କାରଣ ଶାଢ଼ି ବୁଣିବା ପାଇଁ ଆଉ ବୁଣାକାର ନାହାନ୍ତି। ପାଟଶାଢ଼ି ତିଆରି କରିବା କଷ୍ଟସାଧ୍ୟ ଓ ସମୟସାପେକ୍ଷ ବ୍ୟାପାର। ଏଥିପାଇଁ ନୂଆ ପିଢ଼ି ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି। ଯାହାକି ବ୍ରହ୍ମପୁର ପାଟଶାଢ଼ିର ଗୌରବ ପ୍ରତି ବିପଦ ସୃଷ୍ଟି କରିଛି। ବର୍ତ୍ତମାନ ମାତ୍ର ୪୦/୫୦ଟି ପରିବାର ଭିତରେ ଏହା ସୀମିତ ରହିଛି। ବ୍ରହ୍ମପୁର ପାଟ ହେଣ୍ଡଲୁମ୍ ୱେଭର୍ ୱେଲଫେୟାର୍ ଆସୋସିଏସନ୍ର ସମ୍ପାଦକ କେ. ଭୀମା ରାଜୁ ଏହି ସୂଚନା ଦେଇଛନ୍ତି। ସେ ଆଶଙ୍କା ବି କରିଛନ୍ତି ଯେ ଏହା ଜାରି ରହିଲେ, ଆସନ୍ତା ୧୦ବର୍ଷ ପରେ ବ୍ରହ୍ମପୁରରୁ ପାଟଶାଢ଼ି ଉଭେଇ ଯିବା ବିଚିତ୍ର ନୁହେଁ।
ପ୍ରାୟ ୨୦୦ ବର୍ଷ ପୂର୍ବେ ମହୁରୀ ରାଜା ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀକୁ ଯାଇଥିଲେ। ସେଠାରେ ପ୍ରସ୍ତୁତ ହେଉଥିବା ପାଟବସ୍ତ୍ର ତାଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଏଥିପାଇଁ ସେ ଫେରିବା ସମୟରେ କିଛି ବୁଣାକାରଙ୍କୁ ବ୍ରହ୍ମପୁର ସହରକୁ ଆଣିଥିଲେ। ସେମାନଙ୍କୁ ପୁରୁଣା ବ୍ରହ୍ମପୁରର ବାଲୁଙ୍କେଶ୍ବରପେଟ୍ଟା ଅଞ୍ଚଳରେ ରଖାଯାଇଥିଲା। ସେଠାରେ ବୁଣାକାରମାନେ ପାଟବସ୍ତ୍ର ବୁଣିବା ଆରମ୍ଭ କରିଥିଲେ। ସମୟକ୍ରମେ ଏହା ବ୍ରହ୍ମପୁରର ପରିଚୟ ପାଲଟିଥିଲା। ଏହି ବୁଣାକାର ପରିବାରଗୁଡ଼ିକ ଡେରା/ଦେବାଙ୍ଗ ସଂପ୍ରଦାୟ ଭାବେ ପରିଚିତି ଲାଭ କରିଛନ୍ତି।
ଏହି ସଂପ୍ରଦାୟର ବୁଣାକାରମାନେ ପାରମ୍ପରିକ ପଦ୍ଧତିରେ ତନ୍ତ ସାହାଯ୍ୟରେ ପୁରୁଷଙ୍କ ପାଇଁ ‘ଯୋଡ଼’ ଏବ˚ ମହିଳାଙ୍କ ପାଇଁ ‘ରେଶମ ପାଟଶାଢ଼ି’ ପ୍ରସ୍ତୁତ କରିଥାନ୍ତି। ପାଟଶାଢ଼ିରେ ଫୋଡ଼କୁମ୍ଭ ଡିଜାଇନ୍ର ଅଧିକ ଚାହିଦା ରହିଛି ବୋଲି ଶ୍ରୀ ରାଜୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ପୁରୁଣା ବ୍ରହ୍ମପୁର ପାଟରାସାହି, ଡେରା ସାହି, ଗୋବର୍ଦ୍ଧନପେଟ୍ଟାରେ ଏହି ପାଟଶାଢ଼ି ବୁଣାଯାଉଛି। ଶ୍ରୀ ରାଜୁଙ୍କ କହିବା ଅନୁସାରେ, ବୁଣାକାରଙ୍କ ପାଇଁ ୨୦୦୩ରେ ବ୍ରହ୍ମପୁର ପାଟଶାଢ଼ି ହ୍ୟାଣ୍ଡ୍ଲୁମ୍ ୱେଭର୍ ୱେଲଫେୟାର୍ ଆସୋସିଏସନ୍ ଗଠନ କରାଯାଇଥିଲା। ସେ ସମୟରେ ଆସୋସିଏସନ୍ରେ ୩୧୬ ପରିବାର ସଦସ୍ୟ ରହିଥିଲେ। ଏବେ ୨୦ ବର୍ଷ ପରେ ମାତ୍ର ଶହେ ପରିବାର ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୫/୫୦ଜଣ ସଦସ୍ୟ ପାରମ୍ପରିକ ପାଟବୁଣା କାମ କରୁଛନ୍ତି। ବୁଣାକାରଙ୍କୁ କଞ୍ଚାମାଲ(ରେଶମ ସୂତା, ରଙ୍ଗ) ସହିତ ଶାଢ଼ିର ବଜାର ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ପାଇଁ ୩ଟି ସୋସାଇଟି ରହିଛି। ଏହି ସୋସାଇଟି ଜରିଆରେ ବୁଣାକାର ତାଙ୍କର ଶାଢ଼ି ବିକ୍ରି କରୁଛନ୍ତି। ସେହିପରି କିଛି ବୁଣାକାର ବେପାରୀଙ୍କୁ ମଧ୍ୟ ଶାଢ଼ି ଦେଇଥାନ୍ତି। ଗୋଟିଏ ଶାଢ଼ି ବୁଣିବା ପାଇଁ ପ୍ରାୟ ୧୦ଦିନ ସମୟ ଲାଗିଥାଏ। ଏଥିପାଇଁ ଗୋଟିଏ ପରିବାରର ୩/୪ଜଣ ସଦସ୍ୟ କାମରେ ଲାଗିଥାନ୍ତି। ବୁଣାକାରଙ୍କୁ ଉପଯୁକ୍ତ ମଜୁରି ନମଳିବାରୁ ବହୁ କାରିଗର ଏହି କୌଳିକ ବୃତ୍ତି ଛାଡ଼ି ସାରିଥିବା ଦେଖିବାକୁ ମିଳିଛି।