ବ୍ରହ୍ମ ବିଭ୍ରାଟ: ସେବାୟତଙ୍କ ପାଇଁ ଲକ୍ଷ୍ମଣରେଖା ଟଣାଗଲା, ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ

ପୁରୀ : ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡ଼ିଲେ ଏହି ସେବାୟତଙ୍କୁ ସେବାରୁ ବାଦ୍ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି, ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଯେଉଁଥିରେ ୧୦ ଜଣ ଦଇତାପତି ଓ ଜଣେ ମୁଖ୍ୟ ମହାରଣା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ନିଜର ଜବାବ ରଖି ସାରିଛନ୍ତି। ତେବେ ଯେଉଁମାନଙ୍କୁ ନୋଟିସ୍ କରାଯାଇଥିଲା, ସେମାନେ ଗଣମାଧ୍ୟମ ଆଗରେ ଯେଉଁଭଳି ମତମନ୍ତବ୍ୟ ରଖିଛନ୍ତି ତାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ବର ‌ସହ ନେଇଛି। ଶ୍ରୀ ମହାପାତ୍ର କହିଛନ୍ତି, ଘଟ ପରିବର୍ତନ ଓ ବ୍ରହ୍ମ ସଂସ୍ଥାପନ ଗୁପ୍ତ ନୀତି ହୋଇଥିବାରୁ ଏ ସଂପର୍କିତ ସମସ୍ତ ଘଟଣା ଗୁପ୍ତ ରଖିବାକୁ କୁହାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ବି ଏ ନେଇ ନିର୍ଦେଶନାମା ଜାରି କରିଥିଲା। କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି କିଛି ସେବାୟତ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଯେଉଁମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ସେମାନେ ଶ୍ରୀମନ୍ଦିର ପ୍ରଶାସନ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିପାରିଥାନ୍ତେ। ଲିଖିତ ଅବା ମୌଖିକ ଭାବେ ଅଭିଯୋଗ ରଖି ପାରିଥାନ୍ତେ। କିନ୍ତୁ ସେଭଳି କିଛି ନକରି କିଛି ସେବାୟତ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଏଭଳି ଘଟଣାକୁ ଶ୍ରୀମନ୍ଦିର ପରିଚାଳନା କମିଟି ତୀବ୍ର ନିନ୍ଦା କରିବା ସହ ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର