ବ୍ରହ୍ମବିଭ୍ରାଟ ପ୍ରସଙ୍ଗ: ଆଉ ୪ ଦିନର କଣ୍ଟ

ନୋଟିସ୍‌ର ଉତ୍ତର ରଖିଛନ୍ତି ୪ ଦଇତାପତି

ପୁରୀ : ବହୁଚର୍ଚ୍ଚିତ ନବକଳେବର ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ୧୧ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବାବେଳେ ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ନିର୍ଦେଶ ଦିଆଯାଇଛି। ଏ ଭିତରେ ମାତ୍ର ୪ଜଣ ଦଇତାପତି ଏ ଉପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉତ୍ତର ରଖିଛନ୍ତି। ବାକି କେବେ ଉତ୍ତର ରଖିବେ ତାହା ସ୍ପଷ୍ଟ ହୋଇନାହିଁ।

ଗତ ୧୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଦନ୍ତ ରିପୋର୍ଟ ଆଧାରରେ ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ ୧୧ଜଣଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଯେଉଁଥିରେ ଦଇତାନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର, ସୁଭଦ୍ରାଙ୍କ ବାଡ଼ଗ୍ରାହୀ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା, ଦଇତାପତି ବିଶ୍ବନାଥ ଦାସ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମହାପାତ୍ର, ନବକିଶୋର ଦାସ ମହାପାତ୍ର, କାଶୀନାଥ ଦାସ ମହାପାତ୍ର, ଜୟକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ରହିଛନ୍ତି। ଏ ଭିତରେ ୪ଜଣ ଦଇତାପତି ନିଜ ନିଜର ଉତ୍ତର ରଖି ସାରଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଥିଲେ ବି କେଉଁ କେଉଁମାନେ ସେମାନଙ୍କ ମତ ରଖିଛନ୍ତ ତାହା ସ୍ପଷ୍ଟ କରିନାହାନ୍ତି। ଏପରିକି କଣ ଉତ୍ତର ରଖିଛନ୍ତି, ତା ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁପ୍ତ ରଖିଛନ୍ତି।

ଏହା ଭିତରେ ୧୫ ଦିନର କଣ୍ଟ ବି ସରି ଆସିଲାଣି। ୧୫ ଦିନ ଭିତରେ ଉତ୍ତର ରଖି ନ ଥିଲେ ଶ୍ରୀମନ୍ଦିର ଆଇନ ୧୯୫୫ ଧାରା ୨୧(କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ବି ଶ୍ରୀମନ୍ଦିର ପ୍ରଶାସନ ଚେତାବନୀ ଦେଇ ସାରିଛି। ଶ୍ରୀମନ୍ଦିର ପ୍ରଶାସନର ଏହି କଣ୍ଟ ପୂରିବାକୁ ଆଉ ୪ ଦିନ ବାକି ଥିବାବେଳେ ମାତ୍ର ୪ଜଣ ଦଇତାପତି ଏ ଉପରେ ଉତ୍ତର ରଖିବା ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିଚାଳନା ବୈଠକକୁ ଆସୁଥିବାବେଳେ ଏଠାରେ ସିଧାସଳଖ ଆଲୋଚନା ପରେ କିଛି ସେବାୟତ ସେମାନଙ୍କ ଲିଖିତ ଉତ୍ତର ରଖିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର