ବ୍ରହ୍ମ ବିଭ୍ରାଟ ରିପୋର୍ଟ ମିଳିମିଶି ଚାପିଛନ୍ତି

ଦୋଷୀମାନଙ୍କୁ ଖସାଇ ଦେବାକୁ ଚକ୍ରାନ୍ତ, ସବ୍‌କମିଟି ଗଢ଼ି ସମୟ ଗଡ଼ାଉଛନ୍ତି

ପୁରୀ : ନବକଳେବର ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ଘଟଣାର ରିପୋର୍ଟରେ ଏମିତି କଣ ରହିଛି ଯେ ଏହାକୁ ସାର୍ବଜନୀନ କରିବାକୁ କେହି ଚାହୁଁନାହାନ୍ତି? ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ସୃଷ୍ଟିକାରୀଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ଏତେ ଦୟା କାହିଁକି? କାହା ଚାପରେ ସରକାର, ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସମସ୍ତେ ଚୁପ୍‌? ମହାପ୍ରଭୁଙ୍କ ଘଟ ସହିତ ଖେଳ ଖେଳିଥିବା ଖଳନାୟକମାନଙ୍କୁ କିଏ ସୁରକ୍ଷା ଦେଉଛି?

ଶ୍ରୀମନ୍ଦିର ସଂସ୍କାର, ସୁରକ୍ଷା ଆଦି ପ୍ରସଙ୍ଗରେ ଅଦାଲତର ନିର୍ଦେଶ ଆଳ ଦେଖାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକମାନେ ତମ୍ବିତୋଫାନ କରିବା ବେଳେ ଏମିତି କିଛି ପ୍ରଶ୍ନ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ଯେଉଁ ଅଧିକାରୀମାନେ ବିଶୃଙ୍ଖଳାକୁ ଦମନ କରିବା ପରିବର୍ତେ ଏହାକୁ ଚାପି ଚୁପ୍‌ ବସିଛନ୍ତି, ଦୋଷୀକୁ ପରୋକ୍ଷରେ ସୁରକ୍ଷା ଦେଇ ଚାଲିଛନ୍ତି, ସେମାନଙ୍କର ଶ୍ରୀମନ୍ଦିରରେ ସଂସ୍କାର ପାଇଁ ଆନ୍ତରିକତା ଅଛି କି ନାହିଁ, ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଲାଣି।

ବରିଷ୍ଠ ଆଇଏଏସ୍‌ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ପ୍ରଶାସକ ଥିବା ବେଳେ ୨୦୧୫ ନବକଳେବର ବିଭ୍ରାଟ କମ୍ପନ ସୃଷ୍ଟି କରିଥିଲା। ଯଦିଓ ବିଭ୍ରାଟ ପଛରେ ଶ୍ରୀମନ୍ଦିର ପ୍ରଶାସନର ଭୂମିକାକୁ ଏଡାଇ ଦେଇ ହେବନାହିଁ, ତଥାପି ରାଜ୍ୟ ସରକାର ତତ୍କାଳୀନ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ରଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଶ୍ରୀ ମହାପାତ୍ର ତଦନ୍ତ କଲେ, ହେଲେ ରିପୋର୍ଟ ଦେଲେନି।

ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ବଦଳାଇ ଅନ୍ୟତମ ବରିଷ୍ଠ ଆଇଏଏସ୍‌ ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କଲେ। ଏହି ସମୟରେ ରିପୋର୍ଟ ଆସିଲା। ହେଲେ ଏହାକୁ ସାର୍ବଜନୀନ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପରିଚାଳନା କମିଟି ବୈଠକରେ ରିପୋର୍ଟର ଭାଗ୍ୟକୁ ପୁଣି ଥରେ ମୋଡ଼ି ଦିଆଗଲା।

ଗତ ମାର୍ଚ୍ଚ ୨୦ ତାରିଖରେ ନବଗଠିତ ପରିଚାଳନା କମିଟିର ପ୍ରଥମ ବୈଠକରେ ଏହି ରିପୋର୍ଟ ଉପରେ ଆଲୋଚନା ହେଲା। ହେଲେ ତର୍ଜମା କରିବା ଆଳରେ ଶ୍ରୀମନ୍ଦିର ପରିଚାଳନା କମିଟି ଏକ ତିନି ଜଣିଆ କମିଟି ଗଠନ କରି ତା’ ହାତରେ ଏହି ରିପୋର୍ଟର ଭାଗ୍ୟକୁ ସମର୍ପି ଦେଇଛନ୍ତି। ପରିଚାଳନା କମିଟି ସଦସ୍ୟ ମହୀମୋହନ ତ୍ରିପାଠୀ, ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ସିଦ୍ଧେଶ୍ୱର ମହାପାତ୍ରଙ୍କୁ ନେଇ ଗଠିତ ତିନି ଜଣିଆ ସବ୍‌ କମିଟି ତର୍ଜମା କରି ଏହି ରିପୋର୍ଟ ଦେଲେଣି କି ନାହିଁ, ସେ ନେଇ କେହି କିଛି କହୁନାହାନ୍ତି। ଇତିମଧ୍ୟରେ ପରିଚାଳନା କମିଟିର ଆଉ ୪ଟି ବୈଠକ ସରିଥିଲେ ବି ଏ ସଂପର୍କରେ ମଧ୍ୟ କିଛି ଆଲୋଚନା କରାଯାଇନାହିଁ। ବରଂ ମୁଖ୍ୟପ୍ରଶାସକ ପଦରୁ ଶ୍ରୀ ଜେନା ବଦଳି ଏବେ ତାଙ୍କ ସ୍ଥାନରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଶ୍ରୀମନ୍ଦିର ଦାୟିତ୍ୱ ଦିଆଯାଇଛି।

ଯଦି ତିନି ଜଣ ବରିଷ୍ଠ ଅଫିସର ଦାୟିତ୍ୱରେ ଥିବା ବେଳେ ଏହି ରିପୋର୍ଟ ପଦାକୁ ଆସିପାରିଲା ନାହିଁ କିମ୍ବା ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ, ତେବେ ଶ୍ରୀମନ୍ଦିର ପ୍ରଶାସନକୁ କିଏ କାହିଁକି ମାନିବ? ରିପୋର୍ଟରେ କିଛି ଛାମୁଆ ସେବକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବାରୁ ଜାଣିଶୁଣି ଏହି ରିପୋର୍ଟକୁ ଚାପି ଦିଆଯିବ? ଯଦି ମହାପ୍ରଭୁଙ୍କ ସେବାରେ ମହାବିଭ୍ରାଟ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିବା ପାଇଁ ପ୍ରଶାସନ ଡରିବ, ତେବେ ଶ୍ରୀମନ୍ଦିରରେ ସଂସ୍କାର ଆସିବ କେମିତି? ଏମିତି ପ୍ରଶ୍ନ ଏବେ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ବିଚଳିତ କଲାଣି।

ଉଲ୍ଲେଖଥାଉକି, ନବକଳେବର ମହାବିଭ୍ରାଟ ଘଟଣା ସମଗ୍ର ଦେଶରେ ଆଲୋ଼ଡନ ସୃୃଷ୍ଟି କରିଥିଲା। ରାଜ୍ୟ ସରକାର ଅପବାଦ ମୁଣ୍ଡାଇଲେ। ହେଲେ ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କିଛି ବି ଆଖିଦୃୃଶିଆ କାର୍ଯ୍ୟାନୁଷ୍ଠାନ ହେଲାନି। ବରଂ ଯେଉଁମାନଙ୍କୁ ସେବାରୁ ନିଲମ୍ବିତ କରାଯାଇଥିଲା, ତାହାକୁ ବି ପ୍ରଶାସନ ପ୍ରତ୍ୟାହାର କରି ନେଇସାରିଲାଣି।

ଚଳିତ ମାସ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଏହାକୁ ନେଇ କିଛି ସଦସ୍ୟ ଆପତ୍ତି ଉଠାଇବେ ବୋଲି କହିଛନ୍ତି। ରିପୋର୍ଟ ପ୍ରସ୍ତୁତ ହୋଇ ସାରିଥିବା ବେଳେ କାହିଁକି ଏହାକୁ ସାର୍ବଜନୀନ କରାଯାଉନାହିଁ ସେ ନେଇ ବୈଠକରେ ଆଲୋଚନା କରାଯିବାକୁ ସେମାନେ ଦାବି କରିବେ।

ସମ୍ବନ୍ଧିତ ଖବର