ଖୋଲିଲାନି ବ୍ରହ୍ମ ବିଭ୍ରାଟ ଗୁମର

ପୁରୀ : ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଆଶା କରାଯାଉଥିଲା ଏହି ବୈଠକ ଅନେକ ଚର୍ଚ୍ଚିତ ଘଟଣାର ନିଷ୍କର୍ସ ଆଣିବ। ବହୁ ଆଶା, ଆଶଙ୍କା ଉପରୁ ପରଦା ହଟାଇବ। ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ଅନେକ ଗୁରୁତ୍ଵପୂର୍ଣ୍ଣ ଘଟଣାର ଗୁଢ଼ ରହସ୍ୟ ସାର୍ବଜନୀନ ହେବ। ଶ୍ରୀମନ୍ଦିର ସଂସ୍କାର ନେଇ ଜଷ୍ଟିସ୍‌ ବିପି ଦାସ କମିସନ୍‌ ଦେଇଥିବା ଅନ୍ତରୀଣ ରିପୋର୍ଟର କାର୍ଯ୍ୟକାରିତା ଦିଗରେ ଆଲୋଚନା ହେବ। କିନ୍ତୁ ଯେଉଁଭଳି ଆଶା କରାଯାଉଥିଲା, ସେହି ରୂପରେ ବୈଠକକୁ ଦେଖିବାକୁ ମିଳିଲାନି। ବୈଠକରେ ଆଲୋଚିତ ବିଷୟବସ୍ତୁ ନିଷ୍କର୍ଷବିହୀନ ହୋଇଛି। ସତେ ଯେପରି ନୂଆ ସଦସ୍ୟମାନେ ମନ୍ଦିର ପ୍ରଶାସନର ବିଶ୍ୱାସଯୋଗ୍ୟ ହୋଇପାରିଲେ ନାହିିଁ। ନୂଆ ସଦସ୍ୟଙ୍କ ଆଗରେ ନିଜ ଦୋଷଦୁର୍ବଳତା ଲୁଚାଇବା ପାଇଁ ଏଭଳି ନିଷ୍କର୍ଷବିହୀନ ଆଲୋଚନା କରାଯାଇଥିବା ଆଲୋଚିତ ହେଉଛି।

ଗତକାଲି ୭ଟି ଏଜେଣ୍ଡା ଉପରେ ବୈଠକରେ ଆଲୋଚନା ହୋଇଥିଲା। ମୁଖ୍ୟ ଏଜେଣ୍ଡା ଥିଲା ବଜେଟ୍‌, ବ୍ରହ୍ମବିଭ୍ରାଟ, ଜଷ୍ଟିସ୍‌ ବିପି ଦାସ କମିସନ୍‌ଙ୍କ ଅନ୍ତରୀଣ ରିପୋର୍ଟ ଓ ନାଟମଣ୍ଡପର ମରାମତି। କିନ୍ତୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ୪ ଘଣ୍ଟାର ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ଯେଉଁ ସୂଚନା ଦେଇଥିଲେ ତାହା ସମସ୍ତଙ୍କୁ ନିରାଶ କରିଥିଲା। ଆଲୋଚନାର ବିଷୟବସ୍ତୁ ଏପରି ଥିଲା କି ଯେପରି ସାପ ମରିବନି କି ବାଡ଼ି ଭାଙ୍ଗିବନି। ପ୍ରଥମରୁ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ୧୮୫ କୋଟିର ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ଆୟ ଯେତିକି, ବ୍ୟୟ ବି ସେତିକି ରହିଥିଲା। ଆଉ ଆସନ୍ତା ୨୮ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ଏ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କୁହାଗଲା। ଏଜେଣ୍ଡାରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଥିଲା, ବ୍ରହ୍ମ ବିଭ୍ରାଟ ରିପୋର୍ଟ। ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବ୍ରହ୍ମ ବିଭ୍ରାଟ ଉପରେ ଯେଉଁ ୭ ପୃଷ୍ଠାର ରିପୋର୍ଟ ଦେଇଥିଲେ ତାହା ସାର୍ବଜନୀନ ହେବ ବୋଲି ଅନୁମାନ କରାଯାଉଥିଲା। ବୈଠକକୁ ରିପୋର୍ଟ ଗଲା ସତ, କିନ୍ତୁ ଜଉମୁଦ ଖୋଲାଗଲାନି।

ସମ୍ବନ୍ଧିତ ଖବର