ଯାଜପୁର/ଦଶରଥପୁର/ଅହିୟାସ : ବୈତରଣୀ ନଦୀରେ ବନ୍ୟାଜଳ ଆସିଲେ ଏହାର ଶାଖା କାଣୀନଦୀରେ ନିୟମିତ ଭାବେ ଘାଇ ସୃଷ୍ଟି ହେଉଛି। ଚଳିତବର୍ଷ ମଧ୍ୟ ବ୍ରହ୍ମଚାରୀପାଟଣାରେଠାରେ ୧୫୦ଫୁଟର ଘାଇ ହୋଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ କାଣୀ ନଦୀବନ୍ଧରେ ଘାଇ ସୃଷ୍ଟିକୁ ନେଇ ସ୍ଥାନୀୟ ଲୋକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ବି ଉଦ୍ବେଗ ପ୍ରକାଶ କରିଛନ୍ତି। କେତେକ ମୁନାଫାଖୋର ଠିକାଦାର ଓ ଅସାଧୁ ବ୍ୟକ୍ତି ନିୟମିତ ଭାବେ କାଣୀ ନଦୀବନ୍ଧ ଭାଙ୍ଗି ଦେଉଥିବା ଅଭିଯୋଗ କରିଛନ୍ତି। ରିଲିଫ ହଡ଼ପ ଏବଂ ଘାଇ ମରାମତି ବାବଦ ଅନୁଦାନ ହଡ଼ପ ପାଇଁ ଏଭଳି ପନ୍ଥା ଆପଣାଉଥିବା ମଧ୍ୟ ଅଭିଯୋଗ କରାଯାଇଛି।
ଅଭିଯୋଗ ଅନୁସାରେ, ଗତ ୧୨ ବର୍ଷ ମଧ୍ୟରେ କାଣୀ ନଦୀବନ୍ଧରେ ୧୨ଟି ଘାଇ ସୃଷ୍ଟି ହୋଇଛି। ଶାଖା କାଣୀ ନଦୀର କଷପା ପଞ୍ଚାୟତ ବ୍ରହ୍ମଚାରୀପାଟଣାରେ ଚଳିତବର୍ଷର ସ୍ବାଧୀନତା ଦିବସ ଦିନ ୧୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଗତବର୍ଷ ଏହି କଷପା ପଞ୍ଚାୟତର ପଲ୍ଲାସାହିଠାରେ ୫୦ ଫୁଟ ଘାଇ ଏବଂ କଣ୍ଟପଡାଠାରେ ୩ଟି ଘାଇ ହୋଇଥିଲା। କେବଳ ଏତିକି ନୁହେଁ; ୨୦୨୦ରେ କଷପା ପଞ୍ଚାୟତକୁ ଲାଗିଥିବା ଦୁଦୁରାଅଣ୍ଟା ପଞ୍ଚାୟତ କଣ୍ଟପଡ଼ାଠାରେ ୫୦ ଫୁଟ , ୨୦୧୯ରେ କଣ୍ଟପଡ଼ାରେ ୫୦ ଫୁଟର ଘାଇ, ୨୦୧୮ରେ କଣ୍ଟପଡ଼ାରେ ଘାଇ, ୨୦୧୫ରେ ପଞ୍ଚପଡାଠାରେ ୮୦ ଫୁଟର ଘାଇ ଏବଂ କଣ୍ଟପଡ଼ାଠାରେ ୪୦ ଫୁଟର ଘାଇ, ୨୦୧୪ରେ ମଧ୍ୟ କଣ୍ଟପଡ଼ାଠାରେ ୪୦ ଫୁଟର ଘାଇ ହୋଇଥିଲା। ଏହାପୂର୍ବରୁ, ୨୦୧୧ ମସିହାରେ କଷପାର ବ୍ରହ୍ମଚାରୀପାଟଣାରେ ୧୫୦ ଫୁଟର ଘାଇ ହୋଇଥିଲା। ଅନ୍ୟପକ୍ଷରେ, ବୈତରଣୀ ନଦୀ ଦତ୍ତପୁର ଠାରେ ୨୭ ଅଗଷ୍ଟ ୨୦୨୦ରେ ପ୍ରାୟ ୩୦୦ ଫୁଟର ଘାଇ ଓ ୨୨ ଜୁଲାଇ ୨୦୧୪ରେ ବୈତରଣୀ ନଦୀର ଦଶରଥପୁର ପଞ୍ଚାୟତ ପାଟପୁର ଠାରେ ପ୍ରାୟ ୨୦୦ ଫୁଟର ଘାଇ ହୋଇ ହୋଇଥିଲା।
ପ୍ରତିବର୍ଷ ଏହିଭଳି ହେଉଥିବା ଘାଇ ମଣିଷ୍ୟକୃତ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ତୀବ୍ର ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଅସନ୍ତୋଷ ପ୍ରକାଶ ସହିତ ଅଭିଯୋଗ କରିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ନଦୀବନ୍ଧକୁ ଭାଙ୍ଗି ଦିଆଯାଉଛି।
ସେହିଭଳି, ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ କହିଛନ୍ତି, ଯେଉଁ ବ୍ରହ୍ମଚାରୀପାଟଣ ଠାରେ ନଦୀବନ୍ଧ ଭାଙ୍ଗିଛି ସେଠାରେ ନଦୀପଠା ରହିଛି। ନଦୀସ୍ରୋତ ଠାରୁ ଦୂରରେ ଘାଇ ଭାଙ୍ଗିଛି। ଏପରିକି ଏଥର ବନ୍ୟାଜଳ ପରିମାଣ ଅଧିକ ନଥିଲା। ତେଣୁ ଏଠାରେ ଘାଇ ଭାଙ୍ଗିବା ଭଳି ସ୍ଥିତି ନଥିଲା ବୋଲି ସେ କହିଛନ୍ତି।