ବ୍ରହ୍ମଗିରି : ଶ୍ରୀଅଲାରନାଥଙ୍କ ମନ୍ଦିର ସାରା ଫାଟ। ରାଜ୍ୟ ପ୍ରତ୍ନତ୍ତତ୍ବ ବିଭାଗ ଆସି ମନ୍ଦିରର ସ୍ଥିତି ଅନୁଧ୍ୟ୍ୟାନ କଲା। ସ୍ବତନ୍ତ୍ର ଭାବରେ ଯନ୍ତ୍ରୀ ଆସି ମନ୍ଦିର ବୁଲି ଦେଖିଲେ। ଜଗମୋହନଠାରୁ ଆରମ୍ଭ କରି ଅଁଳାବେଢ଼ା ପର୍ଯ୍ୟନ୍ତ ସବୁଠି ଫାଟ ଦେଖିଲେ। ଏହା ପରେ ମନ୍ଦିରର ମରାମତି କାମ ଆରମ୍ଭ ହୋଇଥିଲା। କିନ୍ତୁ ଲକ୍‌ଡାଉନ୍ ପରେ ମନ୍ଦିରର ମରାମତି କାମ ବନ୍ଦ ରହିଛି।

Advertisment

ସୂଚନାଯୋଗ୍ୟ, ପ୍ରସିଦ୍ଧ ଶ୍ରୀଅଲାରନାଥଙ୍କ ମନ୍ଦିରରେ ଦୀର୍ଘ ଦିନ ହେଲାଣି ବର୍ଷା ପାଣି ଗଳୁଛି। ଜଗମୋହନ, ନାଟମଣ୍ତପ, କଳାହାଟ, ରତ୍ନସିଂହାସନ ପାଖରେ ବର୍ଷା ହେଲେ ପାଣି ଗଳୁଛି। ବର୍ଷା ପାଣି ଗଳିବା ପରେ ସେବାୟତ ନିଯୋଗ ପକ୍ଷରୁ ବାରମ୍ବାର ଇଣ୍ଟ୍ରିମ୍‌ ଟ୍ରଷ୍ଟ, ଦେବୋତ୍ତର ବିଭାଗ ଓ ରାଜ୍ୟ ପ୍ରତ୍ନତ୍ତତ୍ବ ବିଭାଗକୁ ଅବଗତ କରାଗଲା। ଗତ ବର୍ଷ ‘ଫନି’ ମାଡ଼ରେ ମନ୍ଦିରର ଦକ୍ଷିଣ ପଟୁ କାନ୍ଥରେ ପ୍ଲାଷ୍ଟର୍‌ ଛଡ଼ାଇ ଦେଇଥିଲା। ଏହା ସହିତ ଜଗମୋହନ ଓ ନାଟମଣ୍ତପକୁ ସଂଯୋଗ କରୁଥିବା ଦେଉଳର ମଝିରେ ଫାଟ ହୋଇଗଲା। ଏ ନେଇ ପୁଣି ଥରେ ସେବାୟତ ନିଯୋଗ ପକ୍ଷରୁ ଅବଗତ କରାଗଲା। ଏହା ପରେ ରାଜ୍ୟ ପ୍ରତ୍ନତ୍ତତ୍ବ ବିଭାଗର ଅଧିକାରୀ ମନ୍ଦିର ପରିଦର୍ଶନ କରିବା ସହିତ ସ୍ଥିତି ଅନୁଧ୍ୟ୍ୟାନ କଲେ। ପୁଣି ଥରେ ସ୍ବତନ୍ତ୍ର ଭାବରେ ଯନ୍ତ୍ରୀ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଲେ। ଏହା ପରେ ମନ୍ଦିର ମରାମତି କାମ ଆରମ୍ଭ ହେଲା। ସିମେଣ୍ଟ ସହିତ ସ୍ବତନ୍ତ୍ର ରସାୟନିକ ପ୍ରଲେପ ଦେଇ ଏହି ମରାମତି କାମ ଆରମ୍ଭ ହେଲା। ତେବେ ମନ୍ଦିର ସାରା ଫାଟ ଦେଖି ମଧ୍ୟ ପ୍ରତ୍ନତ୍ତତ୍ବ ବିଭାଗ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ମନ୍ଦିରର ଜଗମୋହନ ମରାମତି ଅଧା ହୋଇଥିବାବେଳେ ଲକ୍‌ଡାଉନ୍ ଘୋଷଣା କରାଗଲା। ଏହା ପରେ ମନ୍ଦିର କାମ ବନ୍ଦ ରହିଛି। ଆଗକୁ ଶ୍ରୀଜୀଉଙ୍କ ଅଣସର ଆସୁଛି। ମନ୍ଦିର ଚାରିପଟେ ବାଉଁଶ ଭାରା ବନ୍ଧା ଯାଇଛି। ଜଗମୋହନର ଅଳ୍ପ କିଛି ମରାମତି ହୋଇଛି। ଏବେ ବର୍ଷା ହେଲେ ମଧ୍ୟ ପାଣି ଗଳୁଛି। ମରାମତି କାମ ବନ୍ଦ ପଡ଼ିଥିବାରୁ ମନ୍ଦିର ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ତୁରନ୍ତ ମନ୍ଦିରର ମରାମତି କରିବାକୁ ସବୁସ୍ତରରେ ଦାବି ହୋଇଛି।