ଯାଜପୁର: ବୈତରଣୀ ବନ୍ୟା ପରେ ଏବେ ବ୍ରାହ୍ମଣୀ ଏବଂ ଖରସ୍ରୋତା ଉଛୁଳିଛି। ବୈତରଣୀ ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ଉପରେ ଥିଲେ ମଧ୍ୟ କମିବାରେ ଲାଗିଛି। ଅପରପକ୍ଷରେ ବ୍ରାହ୍ମଣୀ ଜଳସ୍ତର ଜେନାପୁରଠାରେ ସତର୍କ ସଙ୍କେତ ଉପରେ ଥିବାରୁ ବରୀ, ବ୍ରହ୍ମବରଦା ଓ ରସୁଲପୁର ବ୍ଲକ୍ ପ୍ରତି ବିପଦ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ଓ ଖରସ୍ରୋତା ପାଣି ବଢ଼ିଲେ ବରୀରେ ବିପର୍ଯ୍ୟୟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ୪ ତାରିଖ ଦିନ ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଓ ବଡ଼ଚଣା ବ୍ଲକ୍ର ସ୍କୁଲ,କଲେଜ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।
ବୈତରଣୀରେ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ୩ଟି ବ୍ଲକ୍ କୋରେଇ, ଯାଜପୁର ଓ ଦଶରଥପୁର ପ୍ରଭାବିତ ହୋଇଛି। ଧୀରେଧୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ଜଳବନ୍ଦୀ ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଛି। ଗୃହପାଳିତ ପ୍ରାଣୀଙ୍କ ସମସ୍ୟା ବି କିଛି କମ୍ ନହିଁ। ପ୍ରଶାସନ ପକ୍ଷରୁ ରନ୍ଧା ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ କିଛି ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଥିଲେ ହେଁ ବହୁ ଜାଗାରେ ଲୋକେ ପାଣିଘେରରେ ଅଛନ୍ତି। ଏହି ୩ଟି ବ୍ଲକ୍ରେ ୨୫ଟି ପଞ୍ଚାୟତର ୧୭୨ଟି ଗ୍ରାମର ପାଖାପାଖି ୭୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ବନ୍ୟାକୁ ସାମ୍ନା କରିଛନ୍ତି। ପଣସା ପଞ୍ଚାୟତରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ବନ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ୨୦ଟି ଆଶ୍ରୟସ୍ଥଳୀକୁ ୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବନ୍ୟାରେ ଭାସି ୨ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ବୈତରଣୀର ଶାଖା ବୁଢ଼ାନଦୀର ସ୍ରୋତରେ ଭାସି ଯାଜପୁର ବ୍ଲକ୍ ଓଳେଇପଡ଼ା ଗ୍ରାମର ଅକ୍ଷୟ ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ କବାଟବନ୍ଧ କାଚରାସାହିର ରୁକ୍ମଣୀ ସାହୁ (୭୫) ଆଜି ଦିନ ପ୍ରାୟ ୧୦ଟାରେ କାଚରାସାହି ଛନ୍ଦାରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସେହିପରି ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଞ୍ଚାୟତ ଭାଟସୋଲପଟା ଗ୍ରାମର ଗୁରି ମାଝୀ (୫୨)ଙ୍କ ବନ୍ୟାପାଣିରେ ଭାସି ମୃତ୍ୟୁ ଘଟିଛି।
ବୈତରଣୀ ବନ୍ୟାରେ ୧୭୧ ଗାଁ ପ୍ରଭାବିତ
ବନ୍ୟା ପାଣିରେ ଭାସି ୨ମୃତ, ଜଣେ ନିଖୋଜ
ଦୁଇଟି ସ୍ଥାନରେ ଧସିଲା ନଦୀବନ୍ଧ
୫ ବ୍ଲକ୍ର ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି
ଅପରପକ୍ଷରେ ବ୍ରାହ୍ମଣୀ ଓ ଏହାର ଶାଖାନଦୀ ଖରସ୍ରୋତାର ଜଳସ୍ତର ବଢ଼ୁଛି। ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ଅପରାହ୍ଣ ୩ଟା ସୁଦ୍ଧା ସତର୍କ ସଙ୍କେତ ୨୨.୨ ମିଟରକୁ ଟପିଛି। ଏଠାରେ ବିପଦ ସଙ୍କେତ ୨୩ ମିଟର ଛୁଇଁ ନଥିଲେ ବି ଏହା ରସୁଲପୁର, ବ୍ରହ୍ମରବଦା ଓ ବରୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ସମଲ ବ୍ୟାରେଜ୍ର ବନ୍ୟାଜଳ ବ୍ରାହ୍ମଣୀରେ ଛଡ଼ାଯାଇଛି। ଏହି ପାଣି ପହଞ୍ଚିଲେ ବନ୍ୟା ହେବାର ଆଶଙ୍କା କରାଯାଉଛି। ବର୍ତ୍ତମାନ ବନ୍ୟାପାଣି ରସୁଲପୁର ବ୍ଲକ୍ ବନ୍ଧଡିହଠାରେ ଘେରିବନ୍ଧ ନିକଟରେ ପଶିସାରିଛି। ଖରସ୍ରୋତା ଫୁଲିବା ପରେ ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତର ଝାଲପଡ଼ା ଓ ସାନବାଗସାହି ଗ୍ରାମର ଶହେରୁ ଊର୍ଦ୍ଧ୍ବ ପରିବାରଙ୍କ ଆଶ୍ରୟସ୍ଥଳ ପାଲଟିଛି ନଦୀବନ୍ଧ। ନଦୀବନ୍ଧରେ ଅସ୍ଥାୟୀ ପାଲ ଟାଣି ଗୃହପାଳିତ ପଶୁଙ୍କ ସହିତ ରାତ୍ରିଯାପନ କରିବାକୁ ନଦୀକୂଳ ବାସିନ୍ଦା ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଓଲେଇଚନ୍ଦନପୁର ନିକଟରେ ଖରସ୍ରୋତା ନଦୀବନ୍ଧ ଧସିବା ଦ୍ବାରା ବିପଦ ଆଶଙ୍କା ବଢ଼ିଛି।
ସେହିପରି ଗୁରୁବାର ଅପରାହ୍ଣରେ ବରୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଖରସ୍ରୋତାରେ ବନ୍ୟା ଆସିବା ଫଳରେ ତନ୍ତିଘାଇ ଦେଇ ବରୀ ବ୍ଲକର ନୂଆନଈ, ବାଳଙ୍ଗାପାଟିଆ, ଚୁଙ୍ଗୁଡ଼ିଆ ନଦୀରେ ବନ୍ୟାସ୍ତର କୂଳ ଲଂଘିଛି। ଫଳରେ ଭଅଁରା, ବୋଦୁଅ, ରଂପାର ଆଂଶିକ, ଉଦୟନାଥପୁର, ରତଳାଙ୍ଗ, ଅରଙ୍ଗାବାଦ, ବାଲିବିଲି, ଅନ୍ୟାସୀପୁର, ଅଙ୍ଗାଳ, ମଧୁସୂଦନପୁର, କଳାମାଟିଆ ପଞ୍ଚାୟତର ଅନେକ ଅଞ୍ଚଳ ସନ୍ଧ୍ୟା ସୁଦ୍ଧା ଜଳମଗ୍ନ ହୋଇଯାଇଛି। ସେହିପରି ବରୀ କଳାମାଟିଆ ଗାନ୍ଧୀ ରାସ୍ତାର ସାଇମନ୍ଦିର ନିକଟରେ ରାସ୍ତାକୁ ବନ୍ୟାଜଳ ଛୁଇଁଛି। ବାଲିବିଲି ଓ କାଳାମାଟିଆ ପଞ୍ଚାୟତର କେତକ ଗାଁ ସଂଯୋଗୀ ରାସ୍ତା ଉପରେ ବନ୍ୟାସ୍ରୋତ ଚାଲୁଥିବା ଜଣାପଡ଼ିଛି। ସେପଟେ ଶୁଖିଲା ପଡ଼ିଥିବା ବ୍ରାହ୍ମଣୀ ନଦୀ ଆଜି ହଠାତ୍ ଫୁଲିବା ଆରମ୍ଭ କରି ଅପରାହ୍ଣ ସୁଦ୍ଧା କୂଳ ଲଂଘିଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ଦୁଆବୋ ଘେରିବନ୍ଧ ଭିତରେ ଥିବା ଅଞ୍ଚଳବାସୀ ମଧ୍ୟ ଆଶଙ୍କାରେ ଅଛନ୍ତି। ମାଟିଆପଡ଼ାଠାରେ କିଛିଦିନ ତଳେ ନିର୍ମାଣ ହୋଇଥିବା ନଦୀବନ୍ଧ ଫାଟିବା ଆରମ୍ଭ କରିଥିବା ବେଳେ ୧୦୦ ମିଟର ପାଖାପାଖି ଏକପ୍ରକାର ମୁକୁଳା ପଡ଼ିଥିବା ଜଣାପଡ଼ିଛି। ତେଣୁ ପାଣି ବଢ଼ିଲେ ବରୀ ପାଇଁ ବିପର୍ଯ୍ୟୟ ଆଣିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଦଶରଥପୁର ବ୍ଲକ୍ର ଦୁଦୁରାଅନ୍ତା ପଞ୍ଚାୟତ କୁଅଁରସାହିଠାରେ ବୈତରଣୀ ନଦୀବନ୍ଧ ପ୍ରାୟ ୬୦ ଫୁଟ୍ ଧସି ଯାଇଛି। ସେହିପରି ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଓଳେଇଚନ୍ଦନପୁରରେ ଖରସ୍ରୋତା ନଦୀବନ୍ଧ ୫୦ ଫୁଟ୍ ଧସିଯାଇଛି। ଏହି କାରଣରୁ ନଈକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।